ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ: ରକ୍ତସ୍ରାବ ପରେ ଜଣାପଡ଼ିଲା ସବୁକିଛି, କାଉଡିଆଙ୍କୁ ଉଠାଇନେଲା ପୋଲିସ

କୁଜଙ୍ଗ, ୨୮।୭(ମନୋଜ ପ୍ରଧାନ): କୁଜଙ୍ଗ ଥାନା ଅଞ୍ଚଳରୁ ପୁଣି ଏକ ଲୋମଟାଙ୍କୁରା ଘଟଣା ଅଞ୍ଚଳକୁ ଦୋହଲାଇଦେଇଛି। ନିକଟରେ ଏଠାରେ ଜଣେ ନାବାଳିକା ୭ ମାସର ଗର୍ଭବତୀ ହେବା ଘଟଣା ମନରୁ ନ ଲିଭୁଣୁ ଆଉ ଏକ ଲଜ୍ଜାଜନକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ନାବାଳିକା ନବମ ଶ୍ରେଣୀ ଛାତ୍ରୀ ୪ ମାସର ଗର୍ଭବତୀ ହୋଇ ମାତୃତ୍ୱ ଲାଭ କରିବା ଭଳି ଘଟଣା ଘଟିଛି।
ପ୍ରକାଶ ଯେ, କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁର ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଯୌନାଙ୍ଗରୁ ଭୀଷଣ ରକ୍ତସ୍ରାବ ହୋଇଥିଲା । ସଙ୍ଗେ ସଙ୍ଗେ ପରିବାର ଲୋକେ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଆସିଥିଲେ। ଡାକ୍ତରୀ ପରୀକ୍ଷା ପରେ ଛାତ୍ରୀ ଜଣକ ଗର୍ଭବତୀ ଥିବା ଜଣାପଡିଥିଲା। ସେଠାରୁ ସଙ୍ଗେ ସଙ୍ଗେ ଜଗତସିଂହପୁର ଜିଲା ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ନାବାଳିକା ଏକ ମୃତ ଅସମ୍ପୂର୍ଣ୍ଣ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଘଟଣା ସମ୍ପର୍କରେ କୁଜଙ୍ଗ ପୋଲିସ ଖବର ପାଇ ନାବାଳିକା ସହିତ ଅନୈତିକ ସମ୍ପର୍କ ରଖିଥିବା ସନ୍ଦେହରେ ୨ ଜଣକୁ ଉଠାଇ ଆଣିଥିବା ଜଣାପଡ଼ିଛି ।
ବିଶେଷ ସୂତ୍ରରୁ ଜଣାପଡ଼ିଛି,ଏହି ନବମ ଶ୍ରେଣୀ ଛାତ୍ରୀଜଣକ ସହିତ ଦେଢ଼ ବର୍ଷ ପୂର୍ବେ ଉପର ଶ୍ରେଣୀରେ ପଢୁଥିବା ପଡୋଶୀ ଘର ଜଣେ ନାବାଳକ ସହିତ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ଯୁଭେନାଇଲି ଏକ୍ଟରେ କେସ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ଅଟକ ରଖାଯାଇଥିଲା। ପରେ ଛାଡାଯାଇଥିଲା। ରବିବାର ରାତିରେ ପୂର୍ବ ଅଭିଯୁକ୍ତ ଜଣକ ମହାନଦୀର ଭଣ୍ଡୁଆ ତୁଠରୁ ପାଣି ଉଠାଇ ଏରସମା ପଞ୍ଚପଲ୍ଲିସ୍ଥିତ ଗ୍ରାମେଶ୍ୱରଙ୍କ ପୀଠରେ ପାଣି ଢାଳିବା ପାଇଁ କାଉଡ଼ିଆ ଦଳରେ ଯାଉଥିବାବେଳେ କୁଜଙ୍ଗ ପୋଲିସ ଏରସମା ଅଞ୍ଚଳରୁ ଉଠାଇ ଆଣିଥିଲା। ଫଳରେ ମାନସିକଧାରୀ ନାବାଳକଙ୍କ ପାଣି ଢାଳିବାର ସ୍ବପ୍ନ ଅଧାରେ ରହିଯାଇଛି। ଅନ୍ୟପଟେ କୁଜଙ୍ଗ ଥାନା ଅନ୍ତର୍ଗତ ଦୁଆଡିଆ ବାଲି ସାହି ଅଞ୍ଚଳର ପିଣ୍ଟୁ ବେହେରାଙ୍କୁ ମଧ୍ୟ ଉଠାଇ ଆଣି ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ଉକ୍ତ ଘଟଣାର
ଉକ୍ତ ଘଟଣାରେ ଆହୁରି ଅନେକ ବ୍ୟକ୍ତି ସଂପୃକ୍ତ ଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Share