କଟକ,୧୯।୧୨: କଟକ ଜିଲା ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟକଟା ଅଞ୍ଚଳର ଜଣେ ୧୪ ବର୍ଷୀୟ ଦଶମ ଶ୍ରେଣୀ ଛାତ୍ରୀ ବଳାତ୍କାର ଶିକାର ହେବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଜିଲା ଶିଶୁ ମଙ୍ଗଳ ସମିତି (CWC)ର ହସ୍ତକ୍ଷେପ କ୍ରମେ ପୁଲିସ ଚଢ଼ଉ କରି ଉଭୟ ମା’ ଓ ଶିଶୁଙ୍କୁ ଉଦ୍ଧାର କରିଛି।
ନାବାଳିକା ଜଣକ କିଛି ମାସ ତଳେ ସ୍କୁଲରୁ ଫେରୁଥିବା ବେଳେ ରେଙ୍ଗାଲି ପୋଲ ନିକଟରେ ଦୁଇଜଣ ବ୍ୟକ୍ତି ତାଙ୍କୁ ଟେକି ନେଇଥିଲେ ଏବଂ ସେଠାରେ ଜଣେ ତାଙ୍କ ସହ ବଳାତ୍କାର କରିଥିଲା। ଭୟରେ ନାବାଳିକା ଜଣକ ଏ ବିଷୟରେ କାହାକୁ କହିନଥିଲେ।
ଗର୍ଭବତୀ ହେବା ପରେ ପରିବାର ଲୋକେ ଜାଣି ପାରି କଟକ ସଦର ପ୍ରତାପନଗରୀସ୍ଥିତ ଏକ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରିଥିଲେ। ଚଳିତ ମାସ ୧୪ ତାରିଖ ରାତିରେ ସେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ CWCର ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନର ଏକ ଟିମ୍ ଓ ସଦର ଥାନା ପୁଲିସ ତୁରନ୍ତ ହସ୍ପିଟାଲରେ ଚଢ଼ଉ କରିଥିଲେ। ଗୁରୁତର ଅବସ୍ଥାରେ ଥିବା ଶିଶୁପୁତ୍ରକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ବସୁନ୍ଧରା ମୁକ୍ତାଶ୍ରୟ କେନ୍ଦ୍ରରେ ଥଇଥାନ କରାଯାଇଛି।ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।