ରାୟଗଡ଼ା,୮ା୩(ଆଶିଷ ରଞ୍ଜନ ପଣ୍ଡା): ଧରିତ୍ରୀରେ ‘ପରିବେଶ ନଷ୍ଟ କରୁଛି ସୁନା ଋଣ ସଂସ୍ଥା ଆଇଆଇଏଫଏଲ୍’ ଶୀର୍ଷକ ରବିବାର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ପୌର ପ୍ରଶାସନ । ରବିବାର ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନିର୍ଦ୍ଦେଶକ୍ରମେ ପୌର କର୍ମଚାରୀ ଜାତୀୟ ରାଜପଥ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଛ ଗୁଡ଼ିକରେ ଲାଗିଥିବା ବିଜ୍ଞାପନ ବୋର୍ଡ଼ ଏବଂ ରାଜନୈତିକ ଦଳମାନଙ୍କ ପୋଷ୍ଟର ଓ ପତାକା ବାହାର କରିଥିଲେ । ହେଲେ ଆଇଆଇଏଫଏଲ୍ କମ୍ପାନୀର ବିଜ୍ଞାପନ ବୋର୍ଡ଼ ଚିରି ବାହାର କରିଦେଇଥିଲେ ହେଁ ଗଛରେ ଲାଗିଥିବା ଲୁହା କଂଟା(ଖିଲ)ଗୁଡ଼ିକ ଏବଂ ମୃଦୁପାନୀୟ କାଚ ବୋତଲଗୁଡ଼ିକର ଠିପି ବାହାର କରିବାକୁ ଭୁଲିଗଲେ ।
ତେବେ ସହରର କେବଳ ସେହି ଗୋଟିଏ ରାସ୍ତା ନୁହେଁ ସହରର ପ୍ରତ୍ୟେକ ଅଂଚଳରେ ରହିଥିବା ଗଛଗୁଡ଼ିକରେ ଲୁହା କଂଟା ମାରି ଆଇଆଇଏଫଏଲ ନିଜର ବିଜ୍ଞାପନ ବୋର୍ଡ଼ ମାରିଛି । ସମସ୍ତ ବିଜ୍ଞାପନ ବୋର୍ଡ଼କୁ ବାହାର ନକରି କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାର ବୋର୍ଡ଼ ବାହାର କରିଛି ପୌର ବିଭାଗ । ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହରର ପ୍ରତ୍ୟେକ ଗଛରେ ଲାଗିଥିବା ଲୁହା କଂଟା ଓ ବିଜ୍ଞାପନ ବୋର୍ଡ଼ ବାହାର କରିବା ସହିତ ଗଛଗୁଡ଼ିକରେ ବିଜ୍ଞାପନ ବୋର୍ଡ଼ ସମ୍ପୂର୍ଣ୍ଣ ନିଷେଧ କରିବା ଏବଂ ଲୁହା କଂଟା ମାରିଥିବା ସୁନାଋଣ କମ୍ପାନୀ ଆଇଆଇଏଫଏଲକୁ ଗଛ ପିଛା ଜରିମାନା ପକାଇବା ପାଇଁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
ରାୟଗଡ଼ା ବରିଷ୍ଠ ସାମ୍ବାଦିକ ସୁଶାନ୍ତ ପ୍ରଧାନ ଗଛରେ ଲୁହା କଂଟା ପିଟିବା ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ସହରବାସୀ ପୌର ପରିଷଦକୁ ଘର ହୋଲ୍ଡିଂ ନମ୍ବର, ରାସ୍ତା, ପାଣି ଆଦି ପାଇଁ ନିୟମିତ କର ପ୍ରଦାନ କରୁଛନ୍ତି । ହେଲେ ସହରରେ ରହିଥିବା ପ୍ରାଇଭେଟ ଫାର୍ମଗୁଡ଼ିକ କୌଣସି କର ନଦେଇ ମନଇଚ୍ଛା ବିଜ୍ଞାପନ ବୋର୍ଡ଼ ସହରରେ ମାରୁଛନ୍ତି । ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ସହରରେ ବାସ କରୁଥିବା ସହରବାସୀ ଏଥିପ୍ରତି ସଚେତନ ହୋଇ ଗଛରେ ଲୁହାକଂଟା ପିଟିବାକୁ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ମନା କରିବା ଆବଶ୍ୟକ ବୋଲି କହିଛନ୍ତି ।