ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ ହୋଇପଡୁଛି । ଗୋଟିଏ ପଟେ ବରଗଡ଼ ସହର ରାସ୍ତାପାର୍ଶ୍ୱରେ କୁଢ଼କୁଢ଼ ମଇଳା ଆବର୍ଜନା ପଡ଼ିଥିବାବେଳେ ଅନ୍ୟପଟେ ନଦୀଜଳ ପ୍ରଦୂଷିତ ଏବଂ ନଦୀ ସଙ୍କୁଚିତ ହେବାକୁ ନେଇ ସ୍ଥାନୀୟ ସଚେତନ ନାଗରିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ପ୍ରଶାସନର ନାକତଳେ ଏଭଳି ପ୍ରଦୂଷଣ ବଢ଼ି ଚାଲିଛି। ସହରବାସୀ ନାନା ରୋଗରେ ଆକ୍ରାନ୍ତ ହେବା ସହିତ ସଂକ୍ରାମକ ରୋଗ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଅଥଚ ସେଥିପ୍ରତି ଉଭୟ ପ୍ରଶାସନିକ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ନୀରବତା ସହରବାସୀଙ୍କୁ ଚକିତ କରିଥିବାବେଳେ ବିକଶିତ ବରଗଡ଼ ଆଶା ଓ ଆଶଙ୍କାରେ ରହିଯାଇଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଜୀରାନଦୀ କୂଳରେ ବରଗଡ଼ ମ୍ୟୁନିସିପାଲିଟି ଏବଂ ବରଗଡ଼ ବ୍ଲକ ଅନ୍ତର୍ଗତ ଅନେକ ୱାର୍ଡ ରହିଛି। ସେହି ୱାର୍ଡବାସୀ ଏହି ନଦୀର ପାଣି ଉପରେ ମୁଖ୍ୟତଃ ନିର୍ଭର କରି ଆସୁଛନ୍ତି। ଲୋକେ ନଦୀପାଣିରେ ସ୍ନାନ କରୁଥିବାବେଳେ ଏହି ନଦୀରୁ ବରଗଡ଼ ସହର ସମେତ ବିଭିନ୍ନ ଗ୍ରାମକୁ ପାଇପ୍‌ ଜଳ ଯୋଗାଇ ଦିଆଯାଉଛି। ଅପରପକ୍ଷେ ସହରରୁ ନିଷ୍କାସିତ ନର୍ଦ୍ଦମା ପାଣି ମଧ୍ୟ ଜୀରାନଦୀକୁ ଯାଇ ମିଶୁଛି। ଏପରି କି ନଦୀରେ କୁଢ଼କୁଢ଼ ମଇଲା, ଆବର୍ଜନା ପଡ଼ି ରହୁଛି। ଏହାର ପ୍ରତିକାର ପାଇଁ ବିଭିନ୍ନ ସମୟରେ ଦାବି ହୋଇ ଆସୁଛି। ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ହୋଇଥିବାବେଳେ ନଦୀଜଳ ପ୍ରଦୂଷଣର ପ୍ରତିକାର ପାଇଁ ସରକାରୀ ସ୍ତରରେ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ସେତିକିରେ ହିଁ ତାହା ସୀମିତ ରହି ଯାଇଛି।
ଜୀରାନଦୀର ସୁରକ୍ଷା ତଥା ନଦୀଜଳର ପ୍ରତିକାର ପାଇଁ ଦାବି ଜୋର୍‌ ଧରିଲେ ବିଭାଗୀୟ ଅଧିକାରୀମାନେ ଚିରାଚରିତ ଢଙ୍ଗରେ କ୍ଷେତ୍ର ପରିଦର୍ଶନ କରିଥାନ୍ତି। ନଦୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ନିଆଯିବ ବୋଲି ସହରବାସୀଙ୍କୁ ଆଶ୍ୱାସନା ଦେଇ ଆସୁଛନ୍ତି। ଏପରିକି ସହରରୁ ନିଷ୍କାସିତ ନର୍ଦ୍ଦମା ପାଣିକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ଦ୍ୱାରା ସଫା କରାଯିବା ପରେ ନଦୀକୁ ଛଡ଼ାଯିବ ବୋଲି ବହୁପୂର୍ବରୁ ବିଭାଗୀୟ ଅଧିକାରୀମାନେ କହି ଆସୁଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହେଉଛି ଏବଂ ନଦୀପାଣି ପ୍ରଦୂଷିତ ହେବାରେ ଲାଗିଛି। ସ୍ଥାନୀୟ ଲୋକେ ମଧ୍ୟ ସେହି ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହୋଇ ଆସୁଛନ୍ତି। ଏଭଳି ସ୍ଥିତିରେ ନଦୀକୁ ପଶୁଥିବା ନଦ୍ଦର୍ମା ପାଣିର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ସହିତ ନଦୀକୁ ଜବରଦଖଲମୁକ୍ତ କରିବା ଦିଗରେ ଉଭୟ ରାଜନୈତିକ, ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily