କେନ୍ଦୁଝର,୨୨ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସର୍ବସାଧାରଣ ରାସ୍ତାଘାଟର ମରାମତି ପାଇଁ ଜିଲା ଓକିଲ ସଂଘର ସଦସ୍ୟ ବରିଷ୍ଠ ଆଇନଜୀବୀ ଦେବାଶିଷ ପତି ସ୍ଥାୟୀ ଲୋକ ଅଦାଲତରେ ଗୁରୁବାର କେସ୍ ଦାଖଲ କରିଛନ୍ତି। ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଏଥିରେ ପକ୍ଷଭୂତ କରିଛନ୍ତି ା ତୁରନ୍ତ ରାସ୍ତା ମରାମତି ସହ ପାଣି ସିଞ୍ଚନ କରିବାକୁ ଦାବି କରିଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ସହରର ରାସ୍ତାଘାଟ ଶୋଚନୀୟ ହୋଇ ପଡ଼ିଥିବାରୁ ଯାତାୟାତ ବ୍ୟାହତ ହେବା ସହ ଧୂଳି ପ୍ରଦୂଷଣରେ ସହରବାସୀ ନୟାନ୍ତ ହୋଇପଡ଼ିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେଉଛନ୍ତି। ଥଣ୍ଡା, କାଶ, ଶ୍ୱାସ ଆଦି ରୋଗରେ ଲୋକମାନେ ପୀଡ଼ିତ ହୋଇ ଚିକିତ୍ସାଧୀନ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ଲାଗି ରହିଛି। ଏପରିକି ମଣ୍ଡୁଆଠାରୁ ମହାବୀର ଛକ ପର୍ଯ୍ୟନ୍ତ ରାସ୍ତାକୁ ପାଇପ୍ ବିଛାଇବା ପାଇଁ ଖୋଳି ଦିଆଯାଇଥିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡୁଛି। ସେହିପରି ଅନେକ ଦୁର୍ଘଟଣାର ଶିକାର ହେଉଥିବା ବେଳେ ଧୂଳି ଉଡ଼ି ବାୟୁମଣ୍ଡଳକୁ ବହୁ ମାତ୍ରାରେ ପ୍ରଦୂଷିତ କରୁଛି। ଏହା ଫଳରେ ଦୋକାନୀ, କଲେଜ ଛାତ୍ରୀଛାତ୍ର, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ, ରାସ୍ତାକଡ଼ରେ ବିକ୍ରିବଟା କରି ପେଟ ପୋଷୁଥିବା ଛୋଟ ବ୍ୟବସାୟୀମାନେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତ। ଏହି କାରଣରୁ ଲୋକମାନେ ଆଖି, ହାର୍ଟ, ଫୁସ୍ଫୁସ୍ ଆଦି ରୋଗର ଶିକାର ହେଉଛନ୍ତି। ଏଣୁ ଏହାର ତୁରନ୍ତ ସମାଧାନ ପାଇଁ ଆଇନଜୀବୀ ଦେବାଶିଷ ପତି ଅଦାଲତରେ ନିବେଦନ କରିଛନ୍ତି ବୋଲି କହିଛନ୍ତି।