ଆଉ ୨ ଦିନ ପରେ କ୍ରିସ୍‌ମାସ

ଭୁବନେଶ୍ୱର,୧୯ା୧୨- ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା କ୍ରିସ୍‌ମସ। ଭୁବନେଶ୍ୱରରେ ଥିବା କ୍ୟାଥୋଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ଏକାଠି ହୋଇ ପ୍ରଭୁ ଯିଶୁଙ୍କ ଧରାବତରଣକୁ ସ୍ୱାଗତ କରିବେ। ଏବେଠୁ ପ୍ରଭୁ ଯୀଶୁଙ୍କ ଉପାସନା ପାଇଁ ରାଜଧାନୀରେ ରହୁଥିବା ଖ୍ରୀଷ୍ଟ ଧର୍ମାବଲମ୍ୱୀଙ୍କ ମନରେ ଉତ୍କଣ୍ଠା ଓ ଉତ୍ସାହ ଦେଖା ଦେଇଥିବାବେଳେ ବିଭିନ୍ନ ଚର୍ଚ୍ଚଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଆଲୋକମାଳା ସହ କ୍ରିସ୍‌ମାସ ଟ୍ରିରେ ଚର୍ଚ୍ଚ ସଜେଇ ହୋଇଛି। ଏଥିସହ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଚର୍ଚ୍ଚଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ୟୁନିଟ-୪ ଚର୍ଚ୍ଚର ସମ୍ପାଦକ ଡ. ମୁନ୍ନା ଜେଏମ୍‌ କୁହନ୍ତି, ଏହି ଦିନରେ ପ୍ରଭୁ ଯିଶୁ କ୍ରୁଶବିଦ୍ଧ ହୋଇଥିଲେ। ପୃଥିବୀରୁ ପାପ ନାଶନ ପାଇଁ ଯିଶୁ ବଳିଦାନ ଦେଇଥିଲେ। ଦିନଟିକୁ ସ୍ମରଣୀୟ କରିବା ପାଇଁ ଗୁଡ୍‌ ଫ୍ରାଇଡେ’ ପାଳନ କରାଯାଏ। ଏଥିସହ ଚର୍ଚ୍ଚ ପକ୍ଷରୁ ଡିସେମ୍ୱର ୭ରୁ ୟୁନିଟ୍‌-୪ ଚର୍ଚ୍ଚର ଥିବା ଶାଖାଗୁଡ଼ିକରେ ଯିଶୁଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତି ହୋଇସାରିଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ କ୍ରିସ୍‌ମାସ ପାଇଁ ରାଜଧାନୀର ବିଭିନ୍ନ ହାଟବଜାର, ମଲ୍‌ ଓ ଫୁଟ୍‌ପାଥ୍‌ରେ ପସରା ମେଲିଛି। କ୍ରିସ୍‌ମାସ୍‌ ଟ୍ରି, ସାଣ୍ଟାକ୍ଲଜ୍‌, ଟେଡି ସାଙ୍ଗକୁ ନାଲି ଟୋପି, ଜିଙ୍ଗଲ୍‌ ବେଲ୍‌, ପୋଷ୍ଟର, ବ୍ୟାନର୍‌, ବସ୍ତ୍ର ଆଦି ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି।