ଦିଗପହଣ୍ଡିରେ ମାଡ଼ିଲା ହଇଜା, ୧୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ…

ଦିଗପହଣ୍ଡି,୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଗାଁ ଉସ୍ତପଲ୍ଲୀ ଗାଁରେ ହଇଜା ପ୍ରଭାବରେ ୧୦ରୁ ଊଦ୍ଧର୍‌ବ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ରବିବାର ସକାଳେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଦମୟନ୍ତୀ ଶବର ଏବଂ ଅନୀତା ଶବରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତ ୪ ଦିନ ହେଲା ସମ୍ପୃକ୍ତ ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିଛି। ଦୂଷିତ ପାଣି ଯୋଗୁ ହଇଜା ବ୍ୟାପୁଥିବା ସୂଚନା ମିଳିବା ପରେ ଆଶାକର୍ମୀ ସୁଦେଷ୍ଣା ସାହୁ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଔଷଧ, ଓଆର୍‌ଏସ୍‌, ହେଲୋଜେନ ବଟିକା ବଣ୍ଟନ କରି ପରିସ୍ଥିତି ପ୍ରତି ନଜର ରଖିଥିଲେ। ରବିବାର ସକାଳେ ହଇଜାର ପ୍ରକୋପ ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଆକ୍ରାନ୍ତମାନଙ୍କୁ ପ୍ରାୟ ୨ କିମି ଦୋଳା ସାହାଯ୍ୟରେ ବୁହାଇ ସେଠାରୁ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଗତ ଗୁରୁବାର ଗ୍ରାମର ଦାସ ଶବର ହଇଜାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି କିଛିଦିନ ତଳେ ସାନଖେମୁଣ୍ଡି ବ୍ଲକ ତାଳପୁର ଗ୍ରାମର ଗଙ୍ଗା ନାଇକ ହଇଜାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିଲେ। ଅନେକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସ୍ଥାନୀୟ ସ୍ବାସ୍ଥ୍ୟ ପ୍ରଶାସନ କିନ୍ତୁ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡା. ଶିବାନନ୍ଦ ଚୌଧୁରୀଙ୍କୁ ପଚାରିବାରୁ ରବିବାର ସକାଳେ କିଛି ମହିଳା ଓ ପୁରୁଷ ଝାଡ଼ିବାନ୍ତିରେ ସଂକ୍ରମିତ ହୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସେ ଜିଲା ସ୍ବାସ୍ଥ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି। ଅପରାହ୍ନରେ ଏକ ସ୍ବାସ୍ଥ୍ୟ ଟିମ୍‌ ଏବଂ ବ୍ଲକ ପାନୀୟଜଳ ବିଭାଗ କର୍ତ୍ତୃପକ୍ଷ ଗାଁରେ ପହଞ୍ଚି ସବିଶେଷ ତିଥି ଅନୁଧ୍ୟାନ କରିବା ସହ ପାଣି ନମୁନା ସଂଗ୍ରହ କରି ଫେରିଥିବା ଜଣାପଡ଼ିଛି।

Share