ଯାଜପୁରରେ କଲେରା ଆକ୍ରାନ୍ତ ଚିହ୍ନଟ: ୮ ଜଣଙ୍କ ରିପୋର୍ଟ ପଜିଟିଭ୍

ଯାଜପୁର, ୧୩।୬: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତି ରୋଗ ଅଣାୟତ୍ତ ହେବା ସହ ଏହା ମଧ୍ୟରେ କଲେରା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢ଼ିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ୪୧ଟି ନମୁନା ପରୀକ୍ଷଣ ପରେ ୮ ଜଣଙ୍କ ରିପୋର୍ଟ କଲେରା ପଜିଟିଭ୍ ଚିହ୍ନଟ ହୋଇଛି। ଏହା ସହ ଜିଲ୍ଲାର ଚାରୋଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି।

ଓଡ଼ିଶା ସରକାର ବର୍ଷାକାଳୀନ ରୋଗ ଯେପରିକି ହଇଜା, ଡାଇରିଆ, ଜଣ୍ଡିସ୍, ମ୍ୟାଲେରିଆ ଏବଂ ଡେଙ୍ଗୁକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ତ୍ୱରାନ୍ୱିତ କରିଛନ୍ତି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧିକାରୀମାନେ ଜଳବାହିତ ରୋଗର ବୃଦ୍ଧି ପାଉଥିବା ମାମଲାଗୁଡ଼ିକର ମୁକାବିଲା ପାଇଁ ରଣନୀତି ଉପରେ ଆଲୋଚନା କରିଥିଲେ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ଯାଜପୁରରେ ସଂଗୃହିତ 41 ଟି ମଳ ନମୁନା ମଧ୍ୟରୁ 8 ଟି ହଇଜା ପଜିଟିଭ୍ ବୋଲି ନିଶ୍ଚିତ ହୋଇଛି। ତଥାପି, ସେ ଆଶ୍ୱାସନା ଦେଇଛନ୍ତି ଯେ ବ୍ୟାପକ ସଚେତନତା,  ପ୍ରାରମ୍ଭିକ ଚିହ୍ନଟ ଏବଂ ଚିକିତ୍ସା ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆପ୍ରାଣ ଚେଷ୍ଟା କରୁଛି। ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମଓ) କହିଛନ୍ତି ଯେ, ସ୍ଥିତି ଧୀରେ ଧୀରେ ସୁଧୁରୁଛି ଏବଂ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ପରିଷ୍କାର ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ଶିକ୍ଷା, ଓ ଔଷଧ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି।

ଯାଜପୁର ଜିଲାରେ ଝାଡ଼ାବାନ୍ତି ଆତଙ୍କୁ ନେଇ ଜିଲାରେ ଛୁଟି ବାତିଲ କରିଯାଇଛି । ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୧୪ ତାରିଖ ରୁ ୧୬ ତାରିଖ ଯାଏଁ ଛୁଟି ବାତିଲ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ ହୋଇଛି । ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି । ଝାଡ଼ାବାନ୍ତିରେ ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିଯାଇଥିବା ବେଳେ ଦାନଗଦି ଓ ଧର୍ମଶାଳାରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦ରୁ ଊର୍ଦ୍ଧ୍ୱ ରୋଗୀ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି।

ଅନ୍ୟପକ୍ଷେ ସ୍ବାସ୍ଥ୍ୟ ସଚିବ ଆଶ୍ୱଥି ଏସ୍‌ ଯାଜପୁର ଜିଲା ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲାରେ ବ୍ୟାପୁଥିବା ଡାଏରିଆରର କାରଣ ଖୋଜିବା ପାଇଁ ଏକ ବିଶେଷଜ୍ଞ ଦଳ ପଠାଯାଇଛି। ଏଥିରେ ଆଇଡିଏସପିର ଇଭେଣ୍ଟ୍‌ ଡାଇରେକ୍ଟର, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କର୍ମକର୍ତ୍ତା ଓ ଅନ୍ୟ କର୍ମକର୍ତ୍ତା ସାମିଲ ହୋଇଛନ୍ତି। ଏହି ଟିମ୍‌ ଯାଜପୁର ଜିଲାର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାକାର ସ୍ବାସ୍ଥ୍ୟ ସୁବିଧା ବିଷୟରେ ପଚାରି ବୁଝିଛନ୍ତି।

ଜିଲାର ଯେଉଁ ଲୋକମାନେ ଚିକିତ୍ସାଳୟରେ ପହଞ୍ଚି ପାରୁନାହାନ୍ତି ସେମାନଙ୍କ ନିକଟକୁ ମୋବାଇଲ୍‌ ହେଲପ ୟୁନିଟ୍‌କୁ ପଠାଯିବାର ବ୍ୟବସ୍ଥା କରାଯାଇଛି। ଅଧିକ ମାତ୍ରାରେ ରୋଗୀ ଚିହ୍ନଟ ହେଲେ ଜିଲା ବାହାରୁ ଟିମ୍‌ ନିୟୋଜିତ କରାଯିବ ବୋଲି ସ୍ବାସ୍ଥ୍ୟ ସଚିବ ପ୍ରକାଶ କରିଛନ୍ତି।

ପ୍ରତ୍ୟେକ ପଞ୍ଚାୟତର ଜଳଉତ୍ସଗୁଡିକୁ ପ୍ରତିସଂକ୍ରମଣ କରାଯିବ। ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କୋରେଇ, ବ୍ୟାସନଗର ଓ ଧର୍ମଶାଳା ଅଞ୍ଚଳରୁ ଅଧିକାଂଶ ରୋଗୀ ଚିକିତ୍ସା ନିମନ୍ତେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ଯାଜପୁର ଅଞ୍ଚଳର କିଛି ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।