ଶୈଶବ ଓ ବ୍ୟକ୍ତିତ୍ୱ

ଚିନ୍ମୟୀ ପଣ୍ଡା

ପାଳନପୋଷଣ କରିବା ଏକ କଳା ବୋଲି ଯଦି ଧରିନିଆଯାଏ, ତେବେ ଏହାର ପର୍ଯ୍ୟବେକ୍ଷଣ କରିବା ଓ ସୁଚାରୁରୂପେ ତୁଲାଇବା ଯେ ନିହାତି ଏକ ବ୍ୟକ୍ତିଗତ ବ୍ୟାପାର ନୁହେଁ- ଏହା ଆମେ ଜାଣିବା ଦରକାର। ପାଳନପୋଷଣ ବ୍ୟକ୍ତିଗତ ସ୍ତରରେ ଆମେ ଆମ ସନ୍ତାନମାନଙ୍କର କରିଥାଉ। ଅନେକଙ୍କ କହିବା ବାହୁଲ୍ୟ ଯେ, ଏହା ସମ୍ପୂର୍ଣ୍ଣ ଭାବେ ସେମାନଙ୍କ ବ୍ୟକ୍ତିଗତ ଅଧିକାର ଏବଂ ସେଥିରେ କାହାର ହସ୍ତକ୍ଷେପ ନିହାତି ନିନ୍ଦନୀୟ। କିନ୍ତୁ ଯେଉଁ ଶିଶୁଟି ପରିବାରରେ ପାଳିତ ହେଉଛି ଓ ସମୟକ୍ରମେ ସେ ଏକ ବ୍ୟକ୍ତିବିଶେଷରେ ପରିପ୍ରକାଶ କରି ଆମ ସମାଜର ଅଂଶବିଶେଷ ହେଉଛି, ଏହି ପରିପ୍ରେକ୍ଷୀରେ ଆମେ ନିଶ୍ଚୟ ମାନିବାକୁ ପଡ଼ିବ ଯେ ଏହା କେବଳ ବ୍ୟକ୍ତିକୈନ୍ଦ୍ରିକ ନୁହେଁ। ପାଳନପୋଷଣର ସମସ୍ତ ସକାରାମତ୍କ ଓ ନକାରାମତ୍କ ଦିଗକୁ ସୁଚାରୁରୂପେ ଅନୁଶୀଳନ କରି ଏକ ସୁସ୍ଥ ଓ ଭଦ୍ର ମଣିଷ ଗଢ଼ିବା ସମସ୍ତ ଅଭିଭାବକଙ୍କ ଚେଷ୍ଟା ହେବା ଦରକାର।
ଲାଳୟେତ୍‌ ପଞ୍ଚବର୍ଷାଣୀ /ଦଶବର୍ଷାଣୀ ତାଡ଼ୟେତ୍‌/
ପ୍ରାପ୍ତେ ଷୋଡ଼ଶେ ବର୍ଷ ପୁତ୍ରେ ମିତ୍ରବଦାଚରେତ୍‌।
ସଂସ୍କୃତର ଏହି ଶିକ୍ଷାକୁ ଆମେ ଯଦି ଅନୁଗମନ କରିବା, ଆଧୁନିକ ସମାଜରେ ଏହା ଗ୍ରହଣ କରାଯିବ ନାହିଁ। ଅବଶ୍ୟ ପାଞ୍ଚବର୍ଷ ଯାଏଁ ଲାଳନ କରିବା। କିନ୍ତୁ ଦଶବର୍ଷାଣୀ ତାଡ଼ୟେତ୍‌ ଅର୍ଥାତ୍‌ ଦଶବର୍ଷ ଯାଏଁ ଯଦି ଅତି କଠୋର ଅନୁଶାସନର ପନ୍ଥା ଆମେ ଅବଲମ୍ବନ କରୁଛେ ତେବେ ଶିଶୁଟି ଭବିଷ୍ୟତରେ ଜଣେ ଉଚ୍ଚକୋଟୀର ମଣିଷ ହୋଇପାରିବ ବୋଲି ଯାହା କୁହାଯାଇଛି, ତାହା କେତେଦୂର ଗ୍ରହଣଯୋଗ୍ୟ ଏହାକୁ ନେଇ ଅନେକ ଆଲୋଚନା ହୋଇଥାଏ। ଅନୁଶାସନରେ ରହିବା, ନିଜ ସମସ୍ତ ଆଚରଣକୁ ନିୟନ୍ତ୍ରଣରେ ରଖିବା, ନିଜ ମର୍ଯ୍ୟାଦା ବୁଝିବା, ଅନ୍ୟକୁ ସମ୍ମାନ ଦେବା ଇତ୍ୟାଦି ନିଶ୍ଚୟ ଏକ ସୁନ୍ଦର ବ୍ୟକ୍ତିତ୍ୱ ଗଢ଼ିବାର ମାପକାଠି।
ଅନୁଶାସନ ଏକ ଅପରିହାର୍ଯ୍ୟ ଅଙ୍ଗ। କିନ୍ତୁ ଯେଉଁ ପର୍ଯ୍ୟନ୍ତ ମନସ୍ତତ୍ତ୍ୱବିତ୍‌ମାନଙ୍କ ଅନୁସନ୍ଧାନ ଓ ତଥ୍ୟକୁ ଗୁରୁତ୍ୱ ଦିଆଗଲା ତା’ପରଠାରୁ ଅନୁଶାସନ ପଦ୍ଧତିରେ ଶାରୀରିକ ନିର୍ଯାତନାକୁ ଉଚ୍ଛେଦ କରାଗଲା। ମାଡ଼ ମାରିବା, ଆଣ୍ଠୁମାଡ଼ି କାନଧରି ବସି ରହିବା ବା ଏହିପରି ଅନେକ କାର୍ଯ୍ୟକଳାପ ଯାହାକୁ ସାଧାରଣତଃ ଦଣ୍ଡ ବୋଲି ଧରିନିଆଯାଇଥାଏ, ସେହି ସବୁକୁ ଆଲୋଚନା କରାଗଲା।
ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଜନ୍‌ ପାଗେଟ୍‌ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟକୁ ବିଶ୍ୱରେ ପ୍ରଥମ ପ୍ରକାଶିତ ଶିଶୁ ମନସ୍ତତ୍ତ୍ୱ ଜ୍ଞାନ ବୋଲି ଧରାଯାଏ। ଏହି ତଥ୍ୟ ଦ୍ୱାରା ପ୍ରକାଶିତ ଜ୍ଞାନକୁ ନେଇ ଶୈଶବ ଅବସ୍ଥାର ଲାଳନପାଳନ ପନ୍ଥା ମଧ୍ୟ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଲାଗିଲା। ଏହାଦ୍ୱାରା ଶାରୀରିକ କ୍ରମବିକାଶ ଭଳି ମାନସିକ ବିକାଶକୁ ମଧ୍ୟ ଜୋର ଦିଆଗଲା। ଜନ୍ମଠାରୁ ଶିଶୁର ପ୍ରତ୍ୟେକ ବିକାଶସ୍ତରକୁ ବିଭିନ୍ନ ପର୍ଯ୍ୟାୟରେ ବିଭକ୍ତ କରାଗଲା ଓ ମାତା, ପିତା ତଥା ବୟସ୍କମାନେ କିପରି ଶିଶୁଟିର ଅନିସନ୍ଧିତ୍ସୁ ବୌଦ୍ଧିକ ଜ୍ଞାନର ବିକାଶକୁ ବୁଝିବେ ଓ ବୁଝାଇପାରିବେ ତାହାର ଗବେଷଣା ଆରମ୍ଭ ହେଲା। ଋଢ଼ିବାଦୀ ଦଣ୍ଡ ପ୍ରଥାକୁ ପ୍ରବଳ ଭାବରେ ନିନ୍ଦା କରାଯିବା ସହ ତା’ଦ୍ୱାରା ମାନସିକ ସ୍ତରରେ ଶିଶୁଟିର ଯେଉଁ କ୍ଷତି ହୋଇଥାଏ ପର୍ଯ୍ୟାୟକ୍ରମେ ତାହା ତା’ର ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ବାଧାପ୍ରାପ୍ତ କରାଇଥାଏ ବୋଲି ଜଣାପଡ଼ିଲା।
ତେବେ ଶିଶୁ ବୟସରୁ ବ୍ୟକ୍ତିତ୍ୱ ବିକାଶ ଯେ ସମ୍ଭବ ତାହା ଆଜି ମଧ୍ୟ ଅନେକ ଅଭିଭାବକ ବୁଝନ୍ତି ନାହିଁ। ଶିଶୁଟିର ଶିକ୍ଷା ଆରମ୍ଭ ହୋଇଥାଏ ଯେବେଠାରୁ ସେ ମାତାଙ୍କ ଗର୍ଭ ମଧ୍ୟକୁ ପ୍ରବେଶ କରିଥାଏ। ଏହି ଗୂଢ଼ ତଥ୍ୟକୁ ମହାଭାରତରେ ମଧ୍ୟ ଉଲ୍ଲେଖ କରାଯାଇଛି। ସୁଭଦ୍ରାଙ୍କ ଗର୍ଭ ମଧ୍ୟରେ ରହି ଅଭିମନ୍ୟୁ ଯୁଦ୍ଧର କୌଶଳ ଶିକ୍ଷା କରିଥିଲେ, ଯାହା ସେ ମହାଭାରତ ଯୁଦ୍ଧକ୍ଷେତ୍ରରେ ପ୍ରଦର୍ଶନ କରିଥିଲେ। ତେବେ ଏହା ସ୍ପଷ୍ଟ ଯେ ଯଦି ଏକ ସୁନ୍ଦର ଓ ସୁଦୃଢ଼ ବ୍ୟକ୍ତିତ୍ୱର ସନ୍ତାନ ଚାହୁଁଚେ, ଆମକୁ ଅନେକ ତଥ୍ୟ ପୁଙ୍ଖାନୁପୁଙ୍ଖ ଜାଣିବା ଦରକାର ଓ ନିଜ ଭାରସାମ୍ୟ ରଖି ସନ୍ତୁଳିତ ଅବସ୍ଥାରେ ଶିଶୁଟିକୁ ତା’ର ଶୈଶବକୁ ଉପଭୋଗ କରାଇବା ସହ ଜ୍ଞାନ ବର୍ଦ୍ଧନରେ ମଧ୍ୟ ସାହାଯ୍ୟ କରାଇବା ଦରକାର।
ଜ୍ଞାନ ଓ ଅଭିଜ୍ଞତା ଅନୁଯାୟୀ ଯେଉଁଭଳି ଶିଶୁଟିର କ୍ରମବିକାଶ ହୋଇଥାଏ, ସେଭଳି ମାତୃତ୍ୱର ମଧ୍ୟ ଅଭିବୃଦ୍ଧି ହୋଇଥାଏ। ମାତୃଗର୍ଭକୁ ଆସିବା ପରଠାରୁ ଶିଶୁର ଜ୍ଞାନେନ୍ଦ୍ରିୟ ବିକାଶ ହେବା ପାଇଁ ଯେଉଁ ସମୟସୀମା ଥାଏ, ତାହା ମଧ୍ୟରେ ମହିଳା ଜଣକ ଅସାଧାରଣ ପରିବର୍ତ୍ତନ ସବୁ ନିଜ ମଧ୍ୟରେ ପାଇଥାନ୍ତି । ମାତୃତ୍ୱର ଅଙ୍କୁରୋଦ୍‌ଗମ ହୋଇଥାଏ, ମା’ ଓ ଗର୍ଭସ୍ଥ ଶିଶୁ ମଧ୍ୟରେ ମମତାର ରଜ୍ଜୁ ବିକଶିତ ହୋଇଥାଏ। ମା’ ହିଁ ସନ୍ତାନର ଭଲ, ମନ୍ଦ ଓ ଆବଶ୍ୟକତା ଇତ୍ୟାଦି ବୁଝିବାରେ ସମର୍ଥ ହୋଇଥାନ୍ତି। ପରୋକ୍ଷରେ ମୋର କହିବା କଥା ହେଲା ଛୁଆର ଲାଳନପାଳନ ସେହି ଦିନଠାରୁ ଅର୍ଥାତ୍‌ ଶିଶୁଟି ଗର୍ଭରେ ଥିବା ସମୟରୁ ହିଁ ଆରମ୍ଭ ହୋଇଥାଏ। ଏହି ପ୍ରକ୍ରିୟାରେ କେବଳ ମା’ ଓ ସନ୍ତାନ ସଂଯୁକ୍ତ ଥାନ୍ତି। ତେଣୁ ଏହି ସମୟରେ ମା’ଙ୍କ ଦ୍ୱାରା ଗର୍ଭସ୍ଥ ଶିଶୁଟିକୁ ଶିକ୍ଷା ଦେବା ସମ୍ଭବ ହୋଇଥାଏ।
କୁହାଯାଏ ଅନ୍ୟ ପଶୁପକ୍ଷୀମାନଙ୍କଠାରୁ ମଣିଷଛୁଆ ଅଧିକ ସମୟ ନିଏ ଆମତ୍ନିର୍ଭରଶୀଳ ହେବାପାଇଁ। ଛୁଆଟିର ପ୍ରତ୍ୟେକ ଅବୟବର କ୍ରମବିକାଶ ଅତ୍ୟନ୍ତ ଶିଥିଳ ଗତିରେ ହୋଇଥାଏ। ଯଥା- ଆଖିଡୋଳା ଠିକ୍‌ ହେବା, ଅର୍ଥାତ୍‌ ସେ ଦୂର ପର୍ଯ୍ୟନ୍ତ ଦେଖି ପାରିବା। ବେକ ସଳଖିବା – ଅର୍ଥାତ୍‌ ମେରୁଦଣ୍ଡ ସାମାନ୍ୟ ଶକ୍ତ ହେବା। ବସିବା – ଅର୍ଥାତ୍‌ ଶରୀର କ୍ଷମତା ବୃଦ୍ଧି ପାଇବା। ଦାନ୍ତ ଉଠିବା – ଅର୍ଥାତ୍‌ ଖାଦ୍ୟ ଚୋବାଇବା ପାଇଁ ସକ୍ଷମ। ଠିଆ ହେବା ଓ ଚାଲିବା ହେଲା ଶେଷ ସୋପାନ ଶାରୀରିକ ବିକାଶ କ୍ଷେତ୍ରରେ।
ଆମକୁ ଏହି ବିକାଶ ସହ ତାଳଦେଇ ସମନ୍ବୟ ଗତିରେ ଆମ ଲାଳନପାଳନ ସ୍ତରକୁ ସୋପାନ ସୋପାନ ଦେଇ ବୁଝି ପରଖି କାର୍ଯ୍ୟକାରୀ କରିବାକୁ ପଡ଼ିବ। ଅନେକ ମା’ଙ୍କୁ ମୁଁ ଦେଖିଛି ଛୁଆଟି ଚାଲି ଶିଖିବା ପରେ ବି କାଖେଇ ନେବା ଆଣିବା କରନ୍ତି। ଦାନ୍ତ ଉଠିବା ପରେ ବି ଚକଟା ଖାଦ୍ୟ ଖାଇବାକୁ ଦିଅନ୍ତି। ଏହାଦ୍ୱାରା ଶିଶୁଟିର କ୍ରମବିକାଶରେ ବାଧା ସୃଷ୍ଟି ହୁଏ। ଏମିତିକି ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ଅସୁବିଧା ହୁଏ। ତେଣୁ ଆମକୁ ସୃଷ୍ଟିର ରହସ୍ୟକୁ ବୁଝିବାକୁ ହେବ।
ଶରୀର ସାଥିରେ ମାନସିକ ବିକାଶ ମଧ୍ୟ ହୋଇଥାଏ। ଧୀଶକ୍ତି ବଢ଼ିବା, ଶବ୍ଦ କହିବାରୁ ବାକ୍ୟ କହିବା ଇତ୍ୟାଦି ସାଧାରଣତଃ ବିକଶିତ ହୋଇଥାଏ। ଏହି ସମୟ ହେଉଛି ଉତ୍କୃଷ୍ଟ ସମୟ ଶିଶୁଟିକୁ ପ୍ରାଥମିକ ଜ୍ଞାନ ଦେବା ପାଇଁ। ପାରିପାର୍ଶ୍ୱିକ ଅବସ୍ଥା, ଗଛ, ପତ୍ର, ପ୍ରକୃତି, ଦେଶବିଦେଶ ଇତ୍ୟାଦି ନାନା ଜ୍ଞାନର ସରଳ ବ୍ୟାଖ୍ୟା ଆମେ କରିବା ଦରକାର।
ଶାରୀରିକ ଶକ୍ତି ସହ ମାନସିକ ଓ ବୌଦ୍ଧିକ ଶକ୍ତିର ବିକାଶ ବୃଦ୍ଧି ନିମନ୍ତେ ଆମେ ଯଦି ବ୍ରତୀ ହେବା ତା’ ହେଲେ ନିଶ୍ଚୟ ଶିଶୁଟି ମଧ୍ୟରେ ଏକ ମହାନ୍‌ ବ୍ୟକ୍ତିତ୍ୱ ବିକଶିତ କରାଇ ପାରିବା। ପରିବାର ମଧ୍ୟରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଥିଲେ ପିଲାଟି ମଧ୍ୟରେ ସହନଶୀଳତା ବୃଦ୍ଧି ପାଇବା ଦେଖାଯାଇଥାଏ। ଶିଶୁ ସମୟରେ ହିଁ ଶିଶୁର ବ୍ୟକ୍ତିତ୍ୱକୁ ବୁଝି, ତାହାର ବିକାଶ କରାଇପାରିବା ହିଁ ହେଉଛି ଏକ ପରିପକ୍ୱ ଅଭିଭାବକତାର ପରିଚୟ।
ଏନ୍‌-୪, ଆଇଆର୍‌ସି ଭିଲେଜ, ନୂଆପଲ୍ଲୀ, ଭୁବନେଶ୍ୱର, ମୋ: ୯୮୬୧୧୯୧୯୬୯