ବାଲେଶ୍ୱର,୨୮ା୫(ବାଞ୍ଝାନିଧି ଦେ): ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ପିଲା ଚୋରି ଘଟଣା ଦେଖିବାକୁ ମିଳୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ୪ ତାଲା ଉପରୁ ଜଣେ ମହିଳାଙ୍କ ୭ ଦିନର ଶିଶୁକନ୍ୟାକୁ ଦୁଇ ଜଣ ମହିଳା ଉଠାଇ ନେଇ ପଳେଇ ଯାଉଥିବା ଅଭିଯୋଗ ହୋଇଛି। ଦୁଇ ମହିଳା ଶିଶୁକନ୍ୟାକୁ ଉଠାଇ ନେଇ ଯାଉଥିବା ବେଳେ ନବଜାତକଙ୍କ ମାଆ ବାପା ହଠାତ ଉଠି ବଡ଼ ପାଟିରେ ଚିତ୍କାର କରିଥିଲେ। ପରେ ପଚାରିବା ବେଳେ ଉଭୟ ଶିଶୁକନ୍ୟାକୁ ଥୋଇ ଦେଇ ଦୌଡ଼ି ପଳେଇ ଯାଉଥିଲେ। ଚିତ୍କାର ଶୁଣି ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ଦୌଡ଼ି ଆସି ଦୁଇ ମହିଳାଙ୍କୁ କାବୁ କରି ମେଡିକାଲ ଫାଣ୍ଡିରେ ଜିମା ଦେଇଥିଲେ। ଘଟଣାକୁ ନେଇ ମେଡିକାଲ ଫାଣ୍ଡି ନିକଟରେ ଉତ୍ତେଜନା ଦେଖା ଦେଇଥିଲେ। ଟାଉନ ଥାନା ଆଇଆଇସି ପହଞ୍ଚି ଦୁଇ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ଘଟଣା ଅନୁସାରେ, ଭୋଗରାଇ ବ୍ଲକର ଆରୁହାବୃତ୍ତି ଅଞ୍ଚଳର ସତ୍ୟବ୍ରତ ଦାସ ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେକେ ଗତ ୭ ଦିନ ତଳେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରିସ୍ଥିତିକୁ ନେଇ ଗତ ୭ଦିନ ହେବ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହୁଥିଲେ। ଗତ ବିଳମ୍ବିତ ରାତ୍ରିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଟକ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ଖଡ଼ଗପୁର ଅଞ୍ଚଳର ହୋଇଥିବା ବେଳେ ଜଣେ ସ୍ଥାନୀୟ ବାଲେଶ୍ୱର ଅଞ୍ଚଳର ଜଣାପଡ଼ିଛି। ଅନ୍ୟପଟେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଛୁଆ ଚୋରି ଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ସ୍ଥାନୀୟ କିଛି ତଳ ସ୍ତରର କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ଦେଖାଦେଇଛି। ପୂର୍ବରୁ ଦୁଇ ଦୁଇ ଥର ଛୁଆ ଚୋରି ଘଟଣା ଦେଖିବାକୁ ମିଳିଥିଲେ ହେଁ ମେଡିକାଲ କର୍ତ୍ତୃପକ୍ଷ ଛୁଆ ଚୋରି ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଛି।


