ବାଲ୍ୟବିବାହ ଅଟକାଇଲା ପ୍ରଶାସନ

ନୂଆପଡ଼ା,୩୦ା୧୧ (ମକାରୁ ବେମାଲ): ନୂଆପଡ଼ା ଥାନା ଅନ୍ତର୍ଗତ ସିରତୋଲ ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଚାଲିଥିବା ବାଲ୍ୟବିବାହକୁ ପ୍ରଶାସନ ଅଟକାଇଛି। ଜିଲା ସମାଜ କଲ୍ୟାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଜିଲା ସଂଯୋଜକ ରଞ୍ଜନ ସାହୁଙ୍କଠାରୁ ଖବର ପାଇ ଜିଲା ଆଇନସେବା ପ୍ରାଧିକରଣ ସଚିବ ନବନୀତା ଦାଶ ତୁରନ୍ତ ୨ଜଣ ଅଧିକାର ମିତ୍ରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଘଟଣାର ସତ୍ୟତା ଜଣାପଡିବା ପରେ ଏସ୍‌ଡିପିଓ ନୂଆପଡ଼ାଙ୍କ ନେତୃତ୍ୱରେ ନୂଆପଡ଼ା ଥାନାର କେତେଜଣ ଅଧିକାରୀ, ବାଲ୍ୟ ବିବାହ ନିଷେଧ ଅଧିକାରୀ ନୂଆପଡ଼ା ନିରୁପା ନାଗ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଶୁକ୍ଲା, ଜିଲା ଆଇନସେବା ପ୍ରାଧିକରଣର ଅଧିକାର ମିତ୍ର କୃଷ୍ଣା କୁମାର ଦେୱାଙ୍ଗନ ପ୍ରମୁଖ ଗ୍ରାମରେ ପହଞ୍ଚି ବାଲ୍ୟବିବାହ ବନ୍ଦ କରାଇବା ସହ କମ୍‌ ବୟସରେ ବିବାହ ନ କରାଇବାକୁ ପରିବାର ଲୋକଙ୍କୁ ବୁଝାଇଥିଲେ। ଶିଶୁ ସୁରକ୍ଷା ଆଇନ ତଥା ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ଅନୁସାରେ କୌଣସି ପୁଅ ଝିଅଙ୍କ ଅନୁମୋଦିତ ସମୟସୀମା ପୂର୍ବରୁ ବିବାହ କରାଇବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ବୋଲି ଅଧିକାରୀମାନେ ସଚେତନ କରିଥିଲେ। ପରେ ପରିବାରବର୍ଗ ରାଜି ହୋଇ ଲିଖିତ ଭାବରେ ଥାନା ଅଧିକାରୀ ଓ ଜିଲା ପ୍ରଶାସନକୁ ଜଣାଇଥିଲେ।

Dharitri – Odisha’s No.1 Odia Daily

Share
Tags: Nuapada