ବଢୁଛି ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୧୭।୧ (ରତନ ନାୟାର) : କଅଁଳ କାନ୍ଧ ବୋହୁଛି ଜଞ୍ଜାଳ। ସଂସାରର ନୀତିନିୟମ, ଚାଲିଚଳଣ ବୁଝିବା ଆଗରୁ ମୁଣ୍ଡରେ ଲଦି ଦିଆଯାଉଛି ବୋଝ। କୋମଳମତି ବୟସରେ ପାଠପଢ଼ି ଆଗକୁ ବଢ଼ିବା ସମୟରେ ମାତୃତ୍ୱ ଲାଭ କରୁଛନ୍ତି ସେମାନେ। ଅପରିପକ୍ୱ ବୟସରେ ମା’ ହେବା ପରେ ଯେଉଁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ତାହା ସେମାନଙ୍କ ବାକି ଜୀବନକୁ କରିଦେଉଛି ଦୁର୍ବିଷହ। ଶିକ୍ଷା, ସଚେତନତାର ଘୋର ଅଭାବ ଏବଂ ପ୍ରଚଳିତ ମାନସିକତା ବଦଳୁ ନ ଥିବାରୁ ବାଲ୍ୟବିବାହ ଉପରେ ଲାଗିପାରୁନି ଅଙ୍କୁଶ। ଏଭଳି କୁପ୍ରଥା ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ଦୁର୍ଗମ ଅଞ୍ଚଳବାସୀଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିବାବେଳେ ଢେଙ୍କାନାଳକୁ ବାଲ୍ୟବିବାହ ମୁକ୍ତ କରିବା ସ୍ବପ୍ନ ଏବେ ବି ଅଧୁରା।
ଢେଙ୍କାନାଳରେ ବାଲ୍ୟବିବାହକୁ ନେଇ ରହିଥିବା ମାନସିକତା ପରିବର୍ତ୍ତନ ହେଉନି। ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ବର୍ଷତମାମ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁନି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଏବଂ ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ଖୁବ୍‌ କମ୍‌ ବୟସରୁ ଝିଅଙ୍କ ବିବାହ କରି ଦିଆଯାଉଛି। ଗତ ୩ବର୍ଷର ତଥ୍ୟକୁ ଦେଖିଲେ ଏଭଳି ଘଟଣା ବୃଦ୍ଧି ପାଉଥିବା ସ୍ପଷ୍ଟ ଅନୁମେୟ। ସଦର, ଓଡ଼ାପଡ଼ା, ହିନ୍ଦୋଳ, ଗଁଦିଆ, ଭୁବନ, କାମାକ୍ଷାନଗର, ପରଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଗତ ୩ ବର୍ଷରେ ୫୬ ବାଲ୍ୟବିବାହ ରୋକାଯାଇପାରିଛି। ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମରେ ୨୦୧୮ରେ ୭, ୨୦୧୯ରେ ୧୬ ଏବଂ ୨୦୨୦ରେ ୩୩ଟି ବାଲ୍ୟବିବାହ ପଣ୍ଡ କରାଯାଇଛି। ପ୍ରାୟ ସମସ୍ତ କ୍ଷେତ୍ରରେ ବିବାହ କରୁଥିବା ଝିଅ ନାବାଳିକା। ଏହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଜିଲାରେ ବାଲ୍ୟବିବାହ ବଢ଼ିବାରେ ଲାଗଛି। ହେଲେ ସେଥିରୁ ଅଧିକାଂଶ ସରକାରୀ ନଥିକୁ ଆସୁ ନ ଥିବା ଅଭିଯୋଗ ହେଉଛି। ବାଲ୍ୟବିବାହ ରୋକିବା, ଅସୁରକ୍ଷିତ ପରିବେଶରେ କାର୍ଯ୍ୟ କରୁଥିବା ଶିଶୁଙ୍କୁ ଉଦ୍ଧାର ଏବଂ ନିର୍ଯାତିତ ଶିଶୁଙ୍କୁ ଥଇଥାନ କରିବା ଲାଗି ୨୦୧୮ ମେ ମାସରୁ ଢେଙ୍କାନାଳ ଜିଲାରେ ଚାଇଲ୍ଡ ଲାଇନ କାର୍ଯ୍ୟ କରୁଛି। ଏଥିଲାଗି ୨୪ ଘଣ୍ଟିଆ ଜାତୀୟ ଜରୁରିକାଳୀନ ଟେଲି ସେବା (ନଂ. ୧୦୯୮) ଉପଲବ୍ଧ। ବ୍ଲକସ୍ତରରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡିପିଓ)ଙ୍କୁ ଏଭଳି ବେଆଇନ କାର୍ଯ୍ୟ ରୋକିବା ଲାଗି ଚାଇଲ୍ଡ ମ୍ୟାରେଜ ପ୍ରୋହିବେଶନ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଶାସନିକସ୍ତରରେ ସମୀକ୍ଷା ମଧ୍ୟ ହେଉଛି। ଏସବୁ ସତ୍ତ୍ୱେ ବାଲ୍ୟ ବିବାହ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଏଭଳି ବେଆଇନ ବିବାହ ନଜରକୁ ଆସିଲେ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ସମ୍ପୃକ୍ତ ବ୍ଲକର ସିଡିପିଓଙ୍କୁ ଅବଗତ କରାଇବେ। ଏହାପରେ ପୋଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆକ୍ରମଣ, ବାସନ୍ଦ ଭୟ ଏବଂ ଭାଇଚାରା ପ୍ରଭାବିତ ହେବା ଆଶଙ୍କାରେ ସୂଚନା ପ୍ରଦାନ କରିବାରେ ଅଙ୍ଗନଓ୍ବାଡି କର୍ମୀ କୁଣ୍ଠାବୋଧ କରୁଛନ୍ତି। ଜନପ୍ରତିନିଧି ମଧ୍ୟ ଆବଶ୍ୟକ ତତ୍ପରତା ଦେଖାଉନାହାନ୍ତି। ଅନ୍ୟପଟେ ସୂଚନା ମିଳିଲେ ଚାଇଲ୍ଡ ଲାଇନ୍‌ ସଦସ୍ୟ ଭଡ଼ାଗାଡ଼ିରେ ସମ୍ପୃକ୍ତ ଅଞ୍ଚଳକୁ ଯାଇଥାନ୍ତି। ଗାଡ଼ି ନ ମିଳିଲେ କିମ୍ବା ପ୍ରଶାସନିକ କାର୍ଯ୍ୟ ତୁଟାଇ ଯିବାବେଳକୁ ବାହାଘର ଶେଷ କରି ବର ଓ କନ୍ୟାପକ୍ଷ ପଳାଇ ଯାଉଥିବା ନଜିର ମଧ୍ୟ ରହିଛି। ସ୍ଥାନୀୟ ପୋଲିସ, ଜନପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ତତ୍ପରତା ଦେଖାଇଲେ ଢେଙ୍କାନାଳ ବାଲ୍ୟବିବାହ ମୁକ୍ତ ଜିଲା ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ବାଲ୍ୟ ବିବାହ ରୋକିବାକୁ ସଚେତନ କାର୍ଯ୍ୟକ୍ରମ ଜାରିରହିଛି। ଚାଇଲ୍ଡ ଲାଇନ୍‌ ସଦସ୍ୟମାନେ କାମ କରୁଛନ୍ତି। ମାନସିକତା ବଦଳିଲେ ଏହାକୁ ରୋକିହେବ। ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା କୁହନ୍ତି, ପୋଲିସ ନିକଟକୁ ଅଭିଯୋଗ ଆସିଲେ ନିହାତି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୨୧ ଜାନୁୟାରୀରେ ବାଲ୍ୟ ବିବାହ ସମ୍ପର୍କିତ ଗୋଟିଏ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।

ଚାଇଲ୍ଡଲାଇନ୍‌କୁ ଆବଶ୍ୟକ ସହାୟତା କରାଯିବ
ବାଲ୍ୟବିବାହ ଭଳି କୁପ୍ରଥା ରୋକିବା ଲାଗି କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଇଲ୍ଡଲାଇନ କାର୍ଯ୍ୟ କରୁଛି। ସଚେତନତା ସହିତ ମାନସିକତାରେ ପରିବର୍ତ୍ତନ ଆସିଲେ ଏହାକୁ ରୋକାଯାଇପାରିବ। ଏଥିଲାଗି ଚାଇଲ୍ଡଲାଇନକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବା।
– ଉଦୟେନ୍ଦୁ ମିଶ୍ର, ନିର୍ଦ୍ଦେଶକ ‘ଶୋଭା’

ଆଇନ କଡ଼ାକଡ଼ି ହେଉନି
ଆଇନ କଡ଼ାକଡ଼ି କରାଯାଉ ନ ଥିବାରୁ କେହି ଭୟ କରୁନାହାନ୍ତି। ସଚେତନତା କାର୍ଯ୍ୟକ୍ରମ ଜୋର୍‌ଦାର ହେଉ ନ ଥିବାରୁ ଏ ବିଷୟରେ ଅନେକେ ଜାଣି ପାରୁନାହାନ୍ତି। ପ୍ରତି ପଞ୍ଚାୟତରେ ଚାଇଲ୍ଡ ଲାଇନର ନିୟମାବଳୀ ଏବଂ ତୁରନ୍ତ ଖବର ଦେବା ଲାଗି ସୂଚନା ଫଳକ ରହିବା ଦରକାର। ଜନପ୍ରତିନିଧି, ଏସ୍‌ଏଚ୍‌ଜି ଏବଂ ଯୁବଗୋଷ୍ଠୀକୁ ସଚେତନ କରାଇବା ଜରୁରୀ।
– ପୁଷ୍ପାଞ୍ଜଳି ଜେନା, ସମ୍ପାଦିକା ‘ଇଶୋ’

ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ରହିଛି
ସଚେତନତାର ବ୍ୟାପକ ଆବଶ୍ୟକତା ରହିଛି। ଘଟଣା ଘଟୁଥିବା ଅଞ୍ଚଳର ଥାନା, ଫାଣ୍ଡି ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖାଯିବା ଜରୁରୀ। ଏ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ରହିଛି।
– ପ୍ରତାପ ଆଚାର୍ଯ୍ୟ, ସିଡବ୍ଲ୍ୟୁସି ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡସ୍ତରରେ ରୁପା ମୂଲ୍ୟ: ପ୍ରଥମଥର ଟପିଲା ୨.୫ ଲକ୍ଷ

ନୂଆଦିଲ୍ଲୀ,୨୯।୧୨:ବର୍ଷ ଶେଷ ହେବାର କିଛି ଦିନ ପୂର୍ବରୁ ରୁପା ମୂଲ୍ୟ ଇତିହାସ ସୃଷ୍ଟି କରିଛି। ଦେଶର ଫ୍ୟୁଚର୍ସ ବଜାରରେ ପ୍ରଥମ ଥର ପାଇଁ ରୂପା ମୂଲ୍ୟ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri