ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ ପ୍ରଧାନଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ିବା ସହ ବହୁ ପରିବାରର ଶିଶୁଙ୍କ ସ୍ବାସ୍ଥ୍ୟ କଥା ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ଚିନ୍ତା ପ୍ରକଟ କରିବା ସହ ସେ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ଏନେଇ ସଚେତନ କରାଇବୁ ବୋଲି କହିଛନ୍ତି। ସେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଇବା ସହ ଲୋକଙ୍କୁ ହାତ ଧୋଇ ଖାଇବା ସହ ଏଭଳି ପ୍ୟାକେଟ ଖାଦ୍ୟରେ କୌଣସି ପ୍ଲାଷ୍ଟିକ କିମ୍ବା ଅନ୍ୟ କିଛି ସାମଗ୍ରୀ ରହିଥିଲେ ତାକୁ ନ ଖାଇବାକୁ ଲୋକଙ୍କୁ ପ୍ରବର୍ତ୍ତାଯିବ ବୋଲି କହିଛନ୍ତି। ଏଥିସହ ଲୋକଙ୍କୁ ସେ କ୍ଷୁଦ୍ର ଦାନା ଶସ୍ୟ ତଥା ମାଣ୍ଡିଆ, କାଙ୍ଗୁ, କୁଏରୀ, ପାଳୁଅ ଆଦିରେ ବ୍ୟଞ୍ଜନ କରି ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦେଇଛନ୍ତି।
ଏଥିସହ ଡାକ୍ତର ସାମନ୍ତରାୟ ଉଦ୍ବେଗ ପ୍ରକାଶ କରି କହିଛନ୍ତି, କେବଳ ଏହି ଘଟଣା ନୁହଁ ପୂର୍ବରୁ ମଧ୍ୟ ଅନେକ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି। ଏଭଳି ଏକାଧିକ କମ୍ପାନୀର ମସଲା ଜାତୀୟ ଚିପ୍ସ ଓ ଅନ୍ୟାନ୍ୟ ପ୍ୟାକେଟ ସାମଗ୍ରୀ ଖାଇ ଅସୁସ୍ଥ ହେଉଛନ୍ତି। ଯେଉଁମାନେ ଏଭଳି ଅସୁସ୍ଥ ହେଉଛନ୍ତି ସେମାନେ ସଠିକ୍ ଭାବେ ଘର ଖାଦ୍ୟ ମଧ୍ୟ ଗ୍ରହଣ କରିପାରିବା ସମ୍ଭବ ହେଉନାହିଁ। ତେଣୁ ଆମେ ଏଭଳି ରୋଗୀଙ୍କୁ ଚିକିତ୍ସା କରିବା ସହ ମା’-ବାପାମାନଙ୍କୁ ବ୍ୟାପକ ସଚେତନ କରୁଥିବା ଡାକ୍ତର କହିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ଉକ୍ତ ବ୍ଲକ ମୁସିମାହା ଗ୍ରାମର ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବାପା ଆଣିଥିବା ମସଲା ଜାତୀୟ ଚିପ୍ସ ପ୍ୟାକେଟ୍ ଭିତରେ ରହିଥିବା ଏକ ପ୍ଲାଷ୍ଟିକ ଖେଳନା ଖାଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ଶିଶୁଙ୍କ ତଣ୍ଟି ଭିତରୁ ଉକ୍ତ ଖେଳନା ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଚେତ ଅବସ୍ଥାରେ ଆଣିଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।