କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟ୍ ଏକ ଅଭିବୃଦ୍ଧି ମୂଳକ ବଜେଟ୍ ।

ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ବତନ୍ତ୍ର ଫୋକସ୍ ରହିଛି ବୋଲି ସେ କହିଛନ୍ତି । ଏହି କେନ୍ଦ୍ର ବଜେଟରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିବାରୁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ଆର୍ଥିକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦି ସରକାର ତାଙ୍କ ଶାସନ କାଳ ସମୟରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି, ଯାହାକି ସ୍ବାଧୀନ ଭାରତର ଅର୍ଥନୈତିକ ଇତିହାସରେ ଏକ ବିରଳ ଅଧ୍ୟାୟ। ଏହାଦ୍ବାରା ଆତ୍ମ ନିର୍ଭର ଭାରତ, ବିକଶିତ ଭାରତ ଗଠନ ଦିଗରେ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ତ୍ବରାନ୍ବିତ ହୋଇଛି।

ଏହି ବଜେଟ୍ କେବଳ ଏକ ଆର୍ଥିକ ଦସ୍ତାବିଜ ନୁହେଁ, ବରଂ ବିକଶିତ ଭାରତ ଗଠନ ଦିଗରେ ଏକ ଦୂରଦର୍ଶୀ ରୋଡମ୍ୟାପ୍ । ଚଳିତ ବଜେଟ୍‌ରେ ଥିବା ପ୍ରାବଧାନ ଗୁଡିକ ସମୃଦ୍ଧ ଓଡ଼ିଶା – ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ। ସବୁ ଦୃଷ୍ଟିକୋଣରୁ ଏହା ଏକ ଐତିହାସିକ ବଜେଟ୍ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

Dharitri – Odisha’s No.1 Odia Daily