ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାର ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ…

ଭୁବନେଶ୍ୱର,୩।୨: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ନିଜ ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ସ୍ବାର୍ଥର ସୁରକ୍ଷା ଓ ବିଶେଷକରି ମହିଳାମାନଙ୍କୁ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା“ର ଶୁଭାରମ୍ଭ କରାଯାଉଛି। ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ।

ଆମର ଏହି ପ୍ରୟାସ କେବଳ ଆର୍ଥିକ ସହାୟତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମାଜରୁ ଯୌତୁକ ଭଳି କୁପ୍ରଥାର ବିଲୋପ ଏବଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ସହ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରି ମହିଳାଙ୍କ ସାମାଜିକ ସୁରକ୍ଷାକୁ ଆମେ ଆହୁରି ସୁନିଶ୍ଚିତ କରୁଛୁ। ଆର୍ଥିକ ଅନଗ୍ରସର ପରିବାରର ମୁରବୀଙ୍କ କାନ୍ଧରୁ ଚିନ୍ତା ହଟାଇ ଝିଅମାନଙ୍କୁ ସମ୍ମାନ ଓ ସ୍ବାଭିମାନର ସହ ନୂଆ ଜୀବନ ପ୍ରଦାନ କରିବା ଆମର ଲକ୍ଷ୍ୟ। ଲୋକଙ୍କ ସରକାର ସବୁ ସମୟରେ ଆପଣଙ୍କ ସୁଖ ଓ ସମୃଦ୍ଧି ପାଇଁ କାମ କରୁଛି।

ଆଜିଠୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆରମ୍ଭ ହେବ । ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରୁ ଏହା ପ୍ରଥମଥର ପାଇଁ ଆରମ୍ଭ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଗଞ୍ଜାମ ମା’ ତାରାତାରିଣୀଙ୍କ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମୁହିକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

Dharitri – Odisha’s No.1 Odia Daily