ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର,୨୫।୧(ଅନିଲଦାସ): ସାଧାରଣତନ୍ତ୍ର ଦିବସ ଅବ୍ୟହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆମ ଦେଶ ମହାତ୍ମା ଗାନ୍ଧୀ, ସୁଭାଷଙ୍କ ଦେଶ। ସତ୍ୟ, ଶାନ୍ତି , ଅହିଂସା, ନ୍ୟାୟ ଏବଂ ବିକାଶର ରାସ୍ତାରେ ଆମେ ଚାଲୁଛୁ। ଆଜି ବିଭିନ୍ନ କ୍ଷେତ୍ରରେ ବିଶ୍ୱ ଦରବାରରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି।

ଦେଶର ବିକାଶରେ ସବୁ ରାଜ୍ୟର ଅବଦାନ ରହିଛି। ଓଡ଼ିଶାର ମଧ୍ୟ ଗୁରୁତ୍ୱପୁର୍ଣ ଭୂମିକା ରହିଛି। ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର ସବୁ କ୍ଷେତ୍ରରେ ନୂଆ ଇତିହାସ ସୃଷ୍ଟି କରିଛି। ଓଡ଼ିଶା ରୂପାନ୍ତର ପଥରେ ଆଗେଇ ଚାଲିଛି। ଓଡ଼ିଶାର ବିକାଶ ଅନ୍ୟମାନଙ୍କ ଆଦର୍ଶ ହୋଇଛି।

ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ। ତାଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସମଲେଇ ପ୍ରକଳ୍ପ ମଧ୍ୟ ଖୁବ୍‌ ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଆମର କୀର୍ତ୍ତି ହେଉଛି ଆମ ସ୍ବାଭିମାନ ଓ ଅସ୍ମିତାର ପରିଚୟ। ସତ୍ୟବାଦୀଠାରେ ଓଡିଆ ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ଲୋକାର୍ପିତ ହୋଇଛି। ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଓଡ଼ିଶାର ଅର୍ଥନୈତିକ ବିକାଶ ଖୁବ୍‌ ଇମ୍ପ୍ରେସିଭ ଅଛି। ଜାତୀୟ ହାର ତୁଳନାରେ ଅଧିକ ଅଛି। ଗରିବୀ କମ କରିବାରେ ଓଡ଼ିଶା ଏକ ଟପ୍‌ ପରଫର୍ମରା। ନୀତି ଆୟୋଗ ରିପୋର୍ଟ କହୁଛି ଗତ ୯ ବର୍ଷ ମଧ୍ୟରେ ଏକ କୋଟିରୁ ଅଧିକ ଲୋକ ଗରିବିରୁ ମୁକ୍ତ ହୋଇଛନ୍ତି।
ଆମର ୫-ଟି ନୀତି ଯୋଗୁ ଗଭର୍ଣ୍ଣାସ ଚଳ ଚଞ୍ଚଳ ହେଉଛି। ସବୁ ଯୋଜନାର ସୁଫଳ ଲୋକ ଠିକ୍‌ ଭାବେ ପାଉଛନ୍ତି। ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଯୋଗାଯୋଗ ଜଳସେଚନ ପରିବହନ କ୍ରୀଡା ସବୁ କ୍ଷେତ୍ରରେ ରୂପାନ୍ତର ଓଡ଼ିଶାର ବିକାଶକୁ ଉଜ୍ଜ୍ବଳ କରିଛି ।

ମୋ ସରକାର ଗାଁକୁ ବିକାଶର କେନ୍ଦ୍ର କରିଛି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ପ୍ରସାର କରାଯାଉଛି। ଗାଁରେ ଡିଜିଟାଲ ଭିତ୍ତିଭୁମିର ବିକାଶ କରାଯାଉଛି। ଲକ୍ଷ୍ମୀ ବସ୍‌ ଯୋଜନା ଗାଁରେ ଯୋଗାଯୋଗ କ୍ଷେତ୍ରରେ ରୂପାନ୍ତର ଆଣିଛି। ଗାଁ ର ସାମାଜିକ ଆର୍ଥିକ ବ୍ୟବସ୍ଥା କୁ ଏହା ନୂଆ ଜୀବନ ଦେଇଛି।

ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଗକୁ ବଢୁଛି। ସମସ୍ତଙ୍କ ସହଯୋଗରେ ନୂଆ,ଶ୍ରେଷ୍ଠ ଓ ସଶକ୍ତ ଓଡିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ମହାନ୍‌ ସଂଗ୍ରାମୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଆମର ଜବାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।