ମୁଖ୍ୟମନ୍ତ୍ରୀଙ୍କ ବଡ଼ ଇସାରା: ମିଳିବ କି ବଡ଼ ଦାୟିତ୍ୱ

ଭୁବନେଶ୍ୱର,୩।୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ବିଜେଡିର ପୂର୍ବତନ ରାଜ୍ୟ ସଭା ଏମ୍‌ପି ଅମର ପଟ୍ଟନାୟକ ସୋମବାର ବିଧିବଦ୍ଧ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଅମର ଏବେ ଅଣନିଃଶ୍ବାସୀରୁ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ କାମ କରିବାର ସୁଯୋଗ ପାଇବେ। ସେ ତାଙ୍କର ମନର କଥା ଅଭିଭାଷଣ ମାଧ୍ୟମରେ କହି ସାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବିଜେଡି ଛାଡି ଭାଜପାରେ ସାମିଲ ହୋଇଛନ୍ତି।

ସେ ଜଣେ ବୌଦ୍ଧିକ ବ୍ୟକ୍ତି। ସଂସଦରେ ଭଲ କାମ କରିଛନ୍ତି। ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ଦଳରେ ସମସ୍ତ ସହଯୋଗ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏଥିପାଇଁ ଗତ ୧୬ ମାସ ଭିତରେ ପ୍ରଧାନମନ୍ତ୍ରୀ ୭ ଥର ଓଡ଼ିଶା ଆସିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପୂର୍ବତନ ରାଜ୍ୟ ସଭା ଏମ୍‌ପି ପଟ୍ଟନାୟକ ଭାଜପାରେ ମିଶିବା ଦ୍ବାରା ଦଳର ଶକ୍ତି ବୃଦ୍ଧି ପାଇଛି। ସୋମବାର ନବୀନ ପଟ୍ଟନାୟକ ନୂଆପଡ଼ାରେ ପ୍ରଚାର କରୁଛନ୍ତି କହି ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ। ପୂର୍ବତନ ରାଜ୍ୟ ସଭା ଏମ୍‌ପି ପଟ୍ଟନାୟକ ଭାଜପା ପାଇଁ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Dharitri – Odisha’s No.1 Odia Daily

Share