ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର: ପଲ୍ଲୀଶ୍ରୀ ମେଳାକୁ ବୃଦ୍ଧି କରି କହିଲେ…

ଛତ୍ରପୁର,୩୧ା୧(ଦିଲ୍ଲୀପ ସାମଲ): ଗଞ୍ଜାମବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶତାଧିକ କୋଟିର ପ୍ରକଳ୍ପ ସହିତ ଆଉ ଏକ ବଡ଼ ଉପହାର ଦେଇଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ଆୟୋଜିତ ପଲ୍ଲୀଶ୍ରୀ ମେଳା ପ୍ରତି ଜିଲାବାସୀଙ୍କ ଆଗ୍ରହ ଦେଖି ଏହାର ସମୟ ସୀମା ଆଉ ଦୁଇଦିନ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ପୂର୍ବରୁ ୨୭ ଜାନୁଆରୀରୁ ୩୦ ଜାନୁଆରୀ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଳାକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇ ରବିବାର ପର୍ଯ୍ୟନ୍ତ ଚାଲୁ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏ ବର୍ଷର ପଲ୍ଲୀଶ୍ରୀ ମେଳା ଗ୍ରାମୀଣ, ପାରମ୍ପରିକ ଓ ଦେଶଜ ପଣ୍ୟଦ୍ରବ୍ୟର ଆକର୍ଷଣୀୟ ପ୍ରଦର୍ଶନ ପାଇଁ ବିପୁଳ ଲୋକପ୍ରିୟତା ହାସଲ କରିଛି।
ମେଳାର ସମୟସୀମା ବୃଦ୍ଧି ଦ୍ୱାରା ଲୋକମାନେ ଅଧିକ ସାମଗ୍ରୀ କ୍ରୟ କରିବେ ଫଳରେ ସ୍ବୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ ଓ ବ୍ୟବସାୟୀମାନଙ୍କୁ ଅଧିକ ଆର୍ଥିକ ପ୍ରୋତ୍ସାହନ ମିଳିବ। ଏହି ମେଳାରେ ଦେଶର ବିଭିନ୍ନ ଅଞ୍ଚଳର ପଣ୍ୟଦ୍ରବ୍ୟ ପ୍ରଦର୍ଶିତ ହେଉଥିବାବେଳେ ଓଡ଼ିଶାର ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ପାରମ୍ପରିକ ସାମଗ୍ରୀ ସହିତ ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ବିଭାଗର ନିଆରା ପଦକ୍ଷେପ ଓ ବିବିଧ ସୂଚନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୨୫୦ଟି ଷ୍ଟଲ୍‌ ମାଧ୍ୟମରେ ଗ୍ରାମୀଣ ଭାରତର ବିବିଧତା ଓ ସରକାରଙ୍କ ସାମର୍ଥ୍ୟ ପ୍ରତିଫଳିତ ହେଉଛି।

Dharitri –Odisha’s No.1 Trusted Odia Daily

Share