ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍କାଟ୍ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ୍ ହେଲେ ଜେଲ୍ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଦୁଇ ସହରବାସୀଙ୍କୁ ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ଆଜି ବାଲିଅନ୍ତାଠାରେ ୬୧୬ରୁ ଅଧିକ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅତ୍ୟାଧୁନିକ ଗ୍ରୀଡ୍ ସବ୍ଷ୍ଟେଶନଗୁଡ଼ିକର ଲୋକାର୍ପଣ କରିଛି। ବାଲିଅନ୍ତା, ସତ୍ୟନଗର, ନୟାପଲ୍ଲୀ ଏବଂ ଏସ୍ସ୍ବି ମେଡିକାଲଠାରେ ସ୍ଥାପିତ ଏହି ପ୍ରକଳ୍ପଗୁଡ଼ିକ ଟ୍ବିନ୍-ସିଟିର ପ୍ରାୟ ୩୩ ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସମସ୍ୟାରୁ ମୁକ୍ତି ଦେବ। ବହୁ ବର୍ଷ ଧରି ଆଇନଗତ ଓ ବୈଷୟିକ ସମସ୍ୟାରେ ଛନ୍ଦି ହୋଇ ପଡ଼ିରହିଥିବା ଏହି ପ୍ରକଳ୍ପଗୁଡ଼ିକୁ ଆମ ସରକାର ଦୃଢ଼ ଇଚ୍ଛାଶକ୍ତି ବଳରେ ମାତ୍ର ଏକ ବର୍ଷ ମଧ୍ୟରେ ସଫଳତାର ସହ ସମ୍ପୂର୍ଣ୍ଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।