ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର ଲୋକେ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଉପଭୋଗ କରିବା ପାଇଁ ଏଠାକୁ ଧାଇଁଆସନ୍ତି। ବରଗଡ଼ ଧନୁଯାତ୍ରା ମହୋତ୍ସବ ସାମାଜିକ ଜୀବନରେ ଆଧ୍ୟାତ୍ମିକତାର ନିଦର୍ଶନ ବୋଲି ମଙ୍ଗଳବାର ରାଜ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଂସ ଦରବାରରେ ମତପ୍ରକାଶ କରିଛନ୍ତି। କେବଳ ସଂସ୍କୃତି ନୁହେଁ, ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଧନୁଯାତ୍ରା ମହୋତ୍ସବର ଯଥେଷ୍ଟ ଭୂମିକା ରହିଛି। ଫଳରେ ଧନୁଯାତ୍ରା ମହୋତ୍ସବର ବିକାଶ ସହିତ ଏହାକୁ ଆହୁରି ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ଆଗକୁ ମଧ୍ୟ ସରକାର ବହୁବିଧ ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ସନ୍ଧ୍ୟା ସାଢ଼େ ୬ଟାରେ ମୁଖ୍ୟମନ୍ତ୍ରୀ ମଥୁରାନଗରୀସ୍ଥିତ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ ପହଞ୍ଚତ୍ଥିଲେ। ସେଠାରୁ ତାଙ୍କୁ ଶୋଭାଯାତ୍ରାରେ ସ୍ଥାନୀୟ ନିଶାମଣି ହାଇସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆର ରଙ୍ଗ ମହଲ ମଞ୍ଚକୁ ଅଣାଯାଇଥିଲା। ମୁଖ୍ୟମନ୍ତ୍ରୀ ହାତୀପିଠିରେ ବସି ମଥୁରାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ରଙ୍ଗ ମହଲ ମଞ୍ଚକୁ ସେ ରାଜ ଅତିଥି ଭାବେ ପହଞ୍ଚତ୍ବା ପରେ ସେଠାରେ ତାଙ୍କୁ କଳିଙ୍ଗ ସମ୍ରାଟ୍ ଭାବେ ସ୍ବାଗତ କରାଯାଇଥିଲା। ତାଙ୍କୁ ଦେଖି କଂସ ମହାରାଜ ମଥୁରାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ଉପରେ ସୂଚନା ଦେବା ପାଇଁ କଳିଙ୍ଗ ସମ୍ରାଟ୍ ତଥା ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂସ ମହାରାଜଙ୍କ ଆଦେଶ ପାଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ ନିର୍ମାଣ ହେବ। ଯମୁନା ନଦୀରେ ୧୧୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ଆନ୍ନିକଟ ନିର୍ମାଣ ପାଇଁ ସେ ଅନୁମୋଦନ କରିଥିବା ବେଳେ ମଥୁରନଗରୀ ଦେଇ ଯାଇଥିବା କେନାଲ ଉପରେ ୪୦କୋଟି ଟଙ୍କା ବ୍ୟୟ ଅଟକଳରେ ସୌନ୍ଦର୍ଯ୍ୟକରଣ କରାଯିବ। ମହିଳାଙ୍କୁ ସ୍ବାବଳମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇ ଥିବା ବେଳେ ପି.ଏମ୍. କିଶାନ ଏବଂ ସି.ଏମ୍. କିଶାନ ଯୋଜନାରେ କୃଷକମାନେ ଉପକୃତ ହେଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ଧାନ ଉଠାଣ, କଟ୍ନୀଛଟ୍ନୀ ଏବଂ ଟୋକନ ସମସ୍ୟାର ତ୍ୱରିତ ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ, ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଜିଲାପାଳ ଆଦିତ୍ୟ ଗୋୟଲ, କାର୍ଯ୍ୟକାରୀ ସଭାପତି ତଥା ଏସ୍ପି ପି.ଏସ୍. ମୀନା ଏବଂ ସମ୍ପାଦକ ସୁରେଶ୍ୱର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।