ବଡ଼ ହୃଦୟ ଦେଖାଇଲେ ମୁଖ୍ୟମନ୍ତ୍ରୀ: ବଢ଼ିଲା ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି

ଭୁବନେଶ୍ୱର,୯।୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ। ବନ୍ୟଜନ୍ତୁ ଆକ୍ରମଣରେ ଧନଜୀବନ ନଷ୍ଟ ହୋଇଥାଏ। ଏ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ରାଶି ବୃଦ୍ଧି କରିଛନ୍ତି।
ନିଷ୍ପତ୍ତି ଅନୁଯାୟୀ, ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି କରାଯିବା ସହିତ, ବାସଗୃହ କ୍ଷତିଗ୍ରସ୍ତ ହୋଇଥାଏ ତେବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୃହ ନଚେତ ସମତୁଲ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏପରିକି ରୋଷେଇ ଘର, ଧାନ ସଂରକ୍ଷଣ ଗୃହ କିମ୍ବା ଛେଳି ଗୁହାଳ କ୍ଷତିଗ୍ରସ୍ତ ହେଲେ ୩ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।
ସେହିଭଳି ପକ୍କା ପାଚେରି, କମ୍ପାଉଣ୍ଡ ୱାଲ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ୫ ହଜାର ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ।

Share