ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ସଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ଅତିଥି ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗମ୍‌ର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ନିର୍ଦ୍ଦେଶକ ସରୋଜ କୁମାର ସାମଲ ଏବଂ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭେଟି ବିଭାଗୀୟ କାର୍ଯ୍ୟାବଳୀ ବିଷୟରେ ସୂଚନା ପ୍ରଦାନ କରିଥିଲେ।

ଆଲୋଚନାରେ ବିଭାଗରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ବଜେଟ୍‌ ବ୍ୟବସ୍ଥା, ଜିଲାସ୍ତରୀୟ କାର୍ଯ୍ୟାଳୟକୁ ଅଧିକ ସୁଦୃଢ଼ କରିବା, ସାମାଜିକ ଗଣମାଧ୍ୟମ, ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା।

ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପ୍ରତିପାଦିତ ହୋଇଥିବା ନୂଆ ସରକାରରେ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଓ କଲ୍ୟାଣକାରୀ ଯୋଜନା ସଠିକ୍‌ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ବୃତ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଶୀଘ୍ର ପୂରଣ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ଗୁରବିର ସିଂ, ଅର୍ଥ ପରାମର୍ଶ ଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।