କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା। ଦେଶକୁ ବିଧି ବ୍ୟବସ୍ଥାରେ ଚଲାଇବା ପାଇଁ ସମ୍ବିଧାନ ଲେଖାଗଲା। ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି। ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ। ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି।
ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ପୂର୍ବ ସରକାରରେ ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା। ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ। ଏହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି।
ଏହାସହ ମହିଳା ବିରୋଧୀ ହିଂସାକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆମ ଜନସଂଖ୍ୟାର ଅଧା ମହିଳା, ନାରୀ ସୁରକ୍ଷା ସବୁଠୁ ଗୁରୁତ୍ୱ। ପ୍ରଥମ କ୍ୟାବିନେଟରେ ଆମେ ସୁଭଦ୍ରା ଲାଗୁ କଲୁ।ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ନାରୀ ସୁରକ୍ଷାକୁ ନେଇ ଆମେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛୁ।ମହିଳା ହିଂସାରେ ଆମର ଦଣ୍ଡବିଧାନ ହାର କମ ଥିଲା। ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି। ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ। ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବନି।