‘ଘୁମୁରା’ ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଜିଲା ପାଇଁ ଏତିକି କୋଟି ଟଙ୍କାର…

ଭବାନୀପାଟଣା,୧୯।୧(ଉତ୍ତମ କୁମାର ଦାଶ): କୃଷି କ୍ଷେତ୍ରରେ କଳାହାଣ୍ଡିକୁ ରାଜ୍ୟରେ ଏକ ନମ୍ବର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରବିବାର ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲା ପାଇଁ ୮୯୧.୩୯ କୋଟି ଟଙ୍କାର ୩୬୧୨ଟି ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଗୁଡ଼ିକ କଳାହାଣ୍ଡିର ବିକାଶକୁ
ଆହୁରି ଗତି ଦେବ ବୋଲି ସେ କହିଛନ୍ତି। ଏହି ଅବସରରେ ଜିଲାରେ ଉତେଇ ରାଉଳ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିପାଇଁ ୩,୩୨୫ କୋଟି ଟଙ୍କା ବିନିଯୋଗ ହେବ। ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି ଏବଂ ଏହା ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଆଗାମୀ ଦିନରେ ସରକାରଙ୍କ ପକ୍ଷରୁ ଭବାନୀପାଟଣା ଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବର୍ତ୍ତମାନର ସରକାର ହେଉଛି ଲୋକଙ୍କ ସରକାର। ସମସ୍ତଙ୍କ ବିକାଶ ଓ କଲ୍ୟାଣ ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖ ଅନେକ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଜିଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଲୋକସଭା ଏମପି ମାଳବିକା ଦେବୀ, ରାଜ୍ୟସଭା ଏମପି ସୁଜିତ କୁମାର, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୁମୁରା ୨୦୨୬ର ସ୍ମରଣୀକା “କଳାଝରଣ”ପତ୍ରିକା ଉନ୍ମୋଚନ କରିବା ସହ ସହିଦ ରେଣ୍ଡୋ ମାଝୀ କଳାହାଣ୍ଡି ସ୍ବାଭିମାନର ପ୍ରତୀକ ବୋଲି କହିଥିଲେ। ସେହିପରି ପ୍ରଥମ ଥର ପାଇଁ ଉତ୍ସବରେ ଡ୍ରୋନ ଶୋ ହୋଇଥିଲା।

Dharitri – The Largest & Most Trusted Odia Daily

Share
Tags: odisha