ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ ଜଳ ଦିବସ ସମାରୋହ ଅନୁଷ୍ଠିତ ହୋଇଛି ।ସୂଚନା ଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ସମୁଦାୟ ୨୬୧୨ କୋଟି ଟଙ୍କାର ବହୁମୂଲ୍ୟ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏଥିମଧ୍ୟରୁ ପ୍ରାୟ ୨୨୯୨ କୋଟି ଟଙ୍କାର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ପ୍ରାୟ ୩୨୦ କୋଟି ଟଙ୍କାର ବ୍ୟୟ ବରାଦରେ ସମୁଦାୟ ୧୨୪ ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଛି ।
ତେବେ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳର ଗୋଟିଏ ବୁନ୍ଦା ମଧ୍ୟ ବିଶ୍ୱର ଅନେକ ଲୋକଙ୍କ ପାଇଁ ଦୁର୍ମୂଲ୍ୟ । ତେଣୁ ଜଳର ଗୋଟିଏ ବୁନ୍ଦା ଯେପରି ନଷ୍ଟ ନ ହୁଏ, ସେଥିପାଇଁ ସମସ୍ତେ ଶପଥ ନିଅନ୍ତୁ । ବିଶ୍ୱ ଜଳ ଦିବସରେ ଜଳ ଅପଚୟ ନ କରିବାର ବାର୍ତ୍ତା ପ୍ରତିଟି ଘରେ ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି । ପିଲାମାନଙ୍କୁ ସ୍କୁଲରୁ ହିଁ ପାଣି ବଞ୍ଚେଇବାର ଶିକ୍ଷା ଦେବାକୁ ପଡ଼ିବ କାରଣ ସେମାନେ ହିଁ ଆଗାମୀ ଦିନର ଜଳ ସୈନିକ । ଆମେ ପାଣି ନଷ୍ଟ କରିବା ନାହିଁ ଏବଂ ବର୍ଷାପାଣିକୁ ସଞ୍ଚୟ କରି ମାଟିକୁ ସଜଳ ରଖିବା ବାର୍ତ୍ତା ସହ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣ ଆରମ୍ଭ କରିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିଶନ୍କୁ ଏକ ବୈପ୍ଲବିକ ଯୋଜନା ବୋଲି କହି ମୁଖ୍ୟମନ୍ତ୍ରୀ ପ୍ରତି ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଜଳାଭାବକୁ ଦୂର କରିବା ବୋଲି ସଂକଳ୍ପ ନେବା ବୋଲି କହିଥିଲେ । ଜଳ ପରିଚାଳନାରେ ଲିଙ୍ଗଗତ ବୈଷମ୍ୟ ଦୂର କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଆମର ଲକ୍ଷ୍ୟ ରହିଛି । ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଜଳ ସୁରକ୍ଷା ହେଉଛି ପ୍ରମୁଖ ସର୍ତ୍ତ । ଏଥିପାଇଁ ମହିଳା ଏବଂ ସ୍ୱଂୟ ସହାୟକ ଗୋଷ୍ଠୀ ଗୁଡିକୁ ଜଳସାଥୀ ଭାବେ ନିୟୋଜିତ କରାଯାଇଛି । ସେଥିପାଇଁ ଚଳିତ ବର୍ଷର ବିଶ୍ୱ ଜଳ ଦିବସର ବିଷୟବସ୍ତୁ ‘ଜଳ ଏବଂ ଲିଙ୍ଗଗତ ସମାନତା’ (Water and Gender) କୁ ଆଧାର କରି ସମସ୍ତ ରାଜ୍ୟବାସୀଙ୍କୁ ଜଳ ସୁରକ୍ଷା ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ରାଜ୍ୟରେ ବିଭିନ୍ନ ଜଳଭିତ୍ତିକ ଯୋଜନା ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜଳର ଅଭାବ ଗରିବ ଲୋକଙ୍କୁ ସବୁଠାରୁ ଅଧିକ ପ୍ରଭାବିତ କରେ । ତେଣୁ ସମାଜରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ପାଖରେ ବିଶୁଦ୍ଧ ଜଳ ପହଞ୍ଚାଇବା ଆମ ଅନ୍ତ୍ୟୋଦୟ ନୀତିର ଅଂଶ ବିଶେଷ । ଆମ ସରକାର ମିଶନ୍ ପାୱାର୍ ଅଧୀନରେ ପ୍ରତିଟି ଅପହଞ୍ଚ ଗାଁ, ଏବଂ ପଛୁଆ ଅଞ୍ଚଳକୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ କାର୍ଯ୍ୟ କରୁଛି । କୃଷି କ୍ଷେତ୍ରରେ ପ୍ରତି ବୁନ୍ଦା ଜଳରେ ଅଧିକ ଫସଲ ନୀତିକୁ ଆମେ ପ୍ରୋତ୍ସହିତ କରୁଛୁ । ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବୃକ୍ଷ ରୋପଣ କରିବାରେ ଦେଶରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥାନ ଅଧିକାର କରିଛି । ଆଗାମୀ ଦିନରେ ଜଳକୁ ନେଇ ଯେପରି କୌଣସି ବିବାଦ ନ ହୁଏ, ସେଥିପାଇଁ ମଧ୍ୟ ଆମ ରାଜ୍ୟ ସନ୍ତୁଳିତ ଜଳ ନୀତି ପ୍ରସ୍ତୁତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜୀବ ଭବନ ଠାରେ ଶିଶୁ ଯତ୍ନ କେନ୍ଦ୍ର ‘‘କଳିକା’’ର ଉଦଘାଟନ ହେବା ସହିତ ଏଆଇ (AI) ଚାଳିତ ନାଗରିକ ମତାମତ ବ୍ୟବସ୍ଥା ‘ବିନ୍ଦୁ’ ଚାଟବୋଟ’ର ପ୍ରୟୋଗିକ ଶୁଭାରମ୍ଭ କରିଥିଲେ। ଏଥି ସହିତ ଜଳ ସମ୍ପଦ ବିଭାଗ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ସହ ଏକ କଫି ଟେବୁଲ ବୁକ୍ ‘ସୁଜଳା’ ଏବଂ ନଦୀ ମାନଚିତ୍ର ବହିର ଉନ୍ମୋଚନ ମଧ୍ୟ ହୋଇଛି ।

