କୋରାପୁଟ,୧୨ା୧(ଅମିତାଭ ବେହେରା): କୋରାପୁଟ ଜିଲା ଲମତାପୁଟ ଠାରେ ଅଟଳ ବସ୍ ଷ୍ଟାଣ୍ଡକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିବା ବେଳେ କୋରାପୁଟ ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ୧.୨ ଏକର ବିସ୍ତୃତ ଏହି ବସ୍ ଷ୍ଟାଣ୍ଡରେ ଅତ୍ୟାଧୁନିକ ସମସ୍ତ ପ୍ରକାର ସୁବିଧା ରହିଛି । ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବସିବା ବ୍ୟବସ୍ଥା ଠାରୁ ଆରମ୍ଭ କରି ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଶୌଚାଳୟ ବ୍ୟବସ୍ଥା ରହିଛି ।
ଦୁଇଟି ଏଣ୍ଟ୍ରି ଏବଂ ଏକଜିଷ୍ଟ ଗେଟ୍, ଦୁଇଟି ଟିକେଟ କାଉଣ୍ଟର, ଅଫିସର ଚେମ୍ବର, ମିଶନ ଶକ୍ତି କେଫେ ତଥା ଗାଡି ଡ୍ରାଇଭର ଓ କଣ୍ଡଟରଙ୍କ ବିଶ୍ରାମ ଗୃହ ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ଅଲଗା ଅଲଗା ରହିଛି । ବସ୍ ଷ୍ଟାଣ୍ଡ ମଧ୍ୟରେ ୪ ଟି ଷ୍ଟଲ, ସ୍ୱତନ୍ତ୍ର ଗାଡି ଧୋଇବା ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଇଭି ଚାର୍ଜ, ୩ଟି ଷ୍ଟୋରେ ରୁମ, ଡିଜି ସେଟ, ପିଏ ସିଷ୍ଟମ ଘୋଷଣା କରିବା ପାଇଁ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସିସିଟିଭି ବ୍ୟବସ୍ଥା ସହ ପାର୍କିଙ୍ଗ ବ୍ୟବସ୍ଥା କରଯାଇଛି ।
ଏହି ବସଷ୍ଟାଣ୍ଡ ପ୍ରାୟ ୫୦ ହଜାର ଲୋକଙ୍କୁ ସୁବିଧା ଯୋଗାଇବା ସହ ୧୧୭ଟି ଗ୍ରାମ, ୧୧ ଟି ଗ୍ରାମ ପଞ୍ଚାୟତକୁ ଉପକୃତ କରିବ । ବସଷ୍ଟାଣ୍ଡ ଉଦଘାଟନ ଅବସରରେ ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ । ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ଦୁଇଜଣ ହିତାଧିକାରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡର ଅତ୍ୟ ଆଧୁନିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ମହିଳା ହିତାଧିକାରୀ ସୁମିତ୍ରା ବେହେରା ବସଷ୍ଟାଣ୍ଡରେ ସିସିଟିଭି ଲାଗିଥିବାରୁ ସୁରକ୍ଷିତ ମନେ କରୁଛନ୍ତି ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ବିଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଉ ଜଣେ ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଇ ବସ୍ ଷ୍ଟାଣ୍ଡ ଉଦଘାଟନ ଲମତାପୁଟ ବାସୀଙ୍କ ଅନେକ ଦିନର ଆଶା ପୂରଣ ହୋଇଥିବାରୁ ଖୁସି ଲାଗୁଛି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଲମତାପୁଟ ପଞ୍ଚାୟତ ଅଧ୍ୟକ୍ଷ ତାପସ କୁମାର ଚାଲାଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ଭାୟୀ ଅଧିକାରୀ ଜିଲ୍ଲା ପରିଷଦ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ଲମତାପୁଟ ତହସିଲଦାର ଦିବାକର ବାଘ, ଆଞ୍ଚଳିକ ପରିଵହନ ଅଧିକାରୀ ରାଜେଶ ମାରାଣ୍ଡି, ଜିଲ୍ଲା ପରିବହନ ବିଭାଗର ପରିଚାଳକ ଅରଶ୍ରୀ ସାହୁ, ସହାୟକ ପରିଚାଳକ ପ୍ରକାଶ କୁମାର ନାୟକ, ବ୍ଲକ ସୁଫରଭାଇଜର ସୁଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର ମଞ୍ଚ ପରିଚାଳନା କରିଥିଲେ ।


