ଆଜି ୫ ମହିଳାଙ୍କୁ ଗାଡି ଚାବି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଏହି ଯୋଜନାରେ ମହିଳାଙ୍କୁ କାର୍‌ ଦେଉଛନ୍ତି ସରକାର

ଭୁବନେଶ୍ୱର,୧୨।୧: ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥି ମଧ୍ୟରୁ ପ୍ରାୟ ୫,୬୩୦ କୋଟି ଟଙ୍କା ବିନିଯୋଗରେ ୩୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ପ୍ରାୟ ୧,୦୭୦ କୋଟି ଟଙ୍କା ବିନିଯୋଗରେ ୩୨ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଜଣ ମହିଳା ଗାଡି ଚାଳକମାନଙ୍କୁ ଗାଡି ଚାବି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ ଆମ ସୁବାହକ ଯୋଜନା ଅଧୀନରେ ସରକାରୀ ଗ୍ୟାରେଣ୍ଟୀରେ କାର୍‌ କିଣିବା ପାଇଁ ଋ଼ଣ ପ୍ରଦାନ କରାଯାଉଛି।

ଦୀପାବଳି ପୂର୍ବରୁ ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ। ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଆରମ୍ଭ ହେବ ନୂଆ ଯୋଜନା । ଯାହାର ନାଁ ରହିବ ଆତ୍ମନିର୍ଭର ମହିଳା ସୁବାହକ ବା ଆମ ସୁବାହକ ଯୋଜନା। ଏହି ଯୋଜନା ଅଧୀନରେ ରାଜ୍ୟର ମହିଳାଙ୍କୁ କାର୍‌ କିଣାଇ ଦେବେ ସରକାର । ଋଣ କରି କାର୍‌ କିଣିବେ ମହିଳା । ଆଉ ସବୁ ସୁଧ ସୁଝିବେ ରାଜ୍ୟ ସରକାର । ମହିଳାଙ୍କୁ ଆହୁରି ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଏଭଳି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।

ଯେଉଁମାନେ ବି ଋଣ କରି କାର୍‌ କିଣିବାକୁ ଚାହିଁବେ ସେମାନଙ୍କୁ କାର୍‌ କିଣାଇ ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଆଉ ଯେଉଁ ମହିଳାମାନେ କାର୍‌ କିଣିବାକୁ ଋଣ ନେବେ ତାହାକୁ ୫ ବର୍ଷ ମଧ୍ୟରେ ସୁଝିପାରିବେ । ମହିଳାମାନେ ଲୋନ କରି କାର୍‌ ତ କିଣିବେ ସତ କିନ୍ତୁ ସବୁ ସୁଧ ସୁଝିବେ ସରକାର।

ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ । ୪ ବର୍ଷରେ ୧୧୦୦ ମହିଳାଙ୍କୁ କାର୍‌ କିଣି ଟ୍ୟାକ୍ସି ଭାବେ ବ୍ୟବହାର କରିବାକୁ ଋଣ ଯୋଗାଇ ଦେବେ ସରକାର । ଯାହା ଫଳରେ ମହିଳାଙ୍କୁ ଆଉ ସୁଧ ବାବଦକୁ ଟେନସନ ନେବାକୁ ପଡିବନି । ବ୍ୟାଙ୍କରୁ ପ୍ରତି ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ଯୋଗାଇ ଦିଆଯିବ । ଋଣର କିସ୍ତି ମହିଳା ମାନେ ୫ ବର୍ଷରେ ସୁଝିବେ ଏବଂ ରାଜ୍ୟ ସରକାର ବାର୍ଷିକ ୧୧% ହାରରେ ସୁଧ ସୁଝିବେ ।

Dharitri – The Largest & Most Trusted Odia Daily