ବର୍ଷେ ଉପଲବ୍ଧିର ଗୋଟି ଗୋଟି ହିସାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ରାଜ୍ୟ ଭାଜପା ସରକାରଙ୍କ ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷକର ସଫଳ ଯାତ୍ରାରେ ଲୋକଙ୍କ ଆଶା ପୂରଣ କରିଛୁ ବୋଲି ମଙ୍ଗଳବାର ଖବରଦାଦା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏପରିକି ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ ସବୁ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସଂକଳ୍ପ ପତ୍ରରେ ଯାହା ସ୍ଥାନ ପାଇଥିଲା, ତାହା ପୂରଣ କରିଛୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗ ଦର୍ଶନରେ ସବୁ କାର୍ଯ୍ୟ କରି ଚାଲିଛୁ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଭଲ ପାଇବା ଆମକୁ ଚଳଚଞ୍ଚଳ କରିଛି। ଆସନ୍ତା ୨୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏପରିକି ଗତ ବର୍ଷ ଜୁନ ୧୨ ତାରିଖରେ ସରକାଙ୍କୁ ୪ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଥିଲା। ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ସହ ସୁଭଦ୍ରା ଯୋଜନା ଲାଗୁ କରାଯାଇଥିଲା। ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ଗଠନ। ଧାନ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ବୋନସ ପ୍ରତିଶ୍ରୁତି ପୂରଣ କରାଯାଇଥିବା ମୁଖମନ୍ତ୍ରୀ କହିଛନ୍ତି।

ସରକାରଙ୍କ ଏକ ବର୍ଷ ମଧ୍ୟରେ ପାଖାପାଖି ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ସମୃଦ୍ଧ କୃଷି ଯୋଜନାରେ ୩୭,୮୦୦ କୋଟିର ବଜେଟ କରାଯାଇଛି। ଏହା ଦ୍ୱାରା ରାଜ୍ୟର ଚାଷୀ ଅନେକ ମାତ୍ରାରେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜୁନ ୯ ତାରିଖ ୨୦୨୪ ହେଉଛି ସ୍ବାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦିଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ରେ ପ୍ରଥମ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି। ମୋଦି ସରକାର ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ସଫଳ ହୋଇଛନ୍ତି। ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ। ମୋଦି ସରକାର ଧାରା ୩୭୦ର ଉଚ୍ଛେଦ କରିଥିବା ବେଳେ ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସ୍‌ଟି ପ୍ରଚଳନ କରିଥିଲେ । ଏହାସହିତ ମୋଦି ସରକାର କୋଭିଡ୍‌ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି।

Share