ଭୁବନେଶ୍ୱର,୧୨।୧: ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।
ଲୋକସେବା ଭବନର କନଭେନସନ ହଲ୍ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା ଯୋଗୁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘E’ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍ଫୋର୍ସମେଣ୍ଟ ବା ନିୟମର କଡାକଡି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗକରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏମର୍ଜେନ୍ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ। ଏହି ଚାରିଟି ନିୟମ ଅନୁପାଳନ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ‘E’ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାହେଲା ଏନଫୋର୍ସମେଣ୍ଟ ଓ ଇଭାଲ୍ୟୁଏସନ। ଯାନବାହନର ପ୍ରଦୂଷଣ ନିୟମକୁ ସଠିକ ଭାବେ ପାଳନ କରିବା ସହିତ ସଡକ ସୁରକ୍ଷାର ଯେଉଁ ନିୟମ ଗୁଡିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆଜିଠାରୁ ସଡ଼କ ସୁରକ୍ଷାକୁ ସୁଶାସନ ବା Good Governanceର ଅଂଶ ଭାବେ ଗ୍ରହଣ କରାଗଲା। ଏହାଦ୍ବାରା ସରକାରୀ ଅଧିକାରୀମାନେ ଏହା ଉପରେ ଅଧିକ ସତର୍କ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆଜି ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ’ ଘୋଷଣା କରିଛନ୍ତି। ଏହି ଯୋଜନାରେ ସମସ୍ତ ଜିଲା, ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ଭିତ୍ତିକରି ସମ୍ମାନିତ କରାଯିବ। ଯେଉଁ ଜିଲାଗୁଡିକ ଭଲ ପ୍ରଦର୍ଶନ କରିବେ, ସେମାନେ ପୁରସ୍କାର ପାଇବେ ଏବଂ ଯେଉଁମାନଙ୍କ ପ୍ରଦର୍ଶନ ଖରାପ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ସେହିପରି ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ଭିତ୍ତିରେ ପୁରସ୍କାର ପ୍ରଦାନ କରାଯିବ।
ଏହାଦ୍ବାରା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧିହେବ ଏବଂ ଦୁର୍ଘଟଣା କମିବାରେ ଏହି ପଦକ୍ଷେପ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ରାଜ୍ୟର ଘାଟିରାସ୍ତା ଗୁଡିକରେ ସଡକ ସୁରକ୍ଷା ପାଇଁ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହା ଆରମ୍ଭ କରାଯିବ।
ସେହିପରି ଏହି ଅବସରରେ କଟକ ଭୁବନେଶ୍ବରର ଟ୍ବିନସିଟିରେ ଉନ୍ନତ ଟ୍ରାଫିକ ପରିଚାଳନା ପାଇଁ ଆଇଆଇଟି ଖଡଗପୁର ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଥିଲା। ଆଇଆଇଟିର ରିପୋର୍ଟ ପରେ ଏହି ଆଧାରରେ ଦୁଇ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ।
ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଚାର୍ଜିଙ୍ଗ ଷ୍ଟେଶନର ମଧ୍ୟ ଆବଶ୍ୟକତା ରହିଛି। ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ପାଇଁ ୧୫ଟି ଚାର୍ଜିଙ୍ଗ ଷ୍ଟେଶନର ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ରାଜ୍ୟରେ ଆହୁରି ୮୫ଟି ଚାର୍ଜିଙ୍ଗ ଷ୍ଟେସଶନ ନିର୍ମାଣାଧୀନ ଅଛି, ଏଗୁଡିକ ଖୁବଶୀଘ୍ର ଲୋକାର୍ପିତ ହେବ। ଆଗାମୀ ଦିନରେ ଆହୁରି ଅଧିକ ଚାର୍ଜିଙ୍ଗ ଷ୍ଟେଶନ ନିର୍ମାଣ କରାଯିବ।