ବୟନିକାରୁ ବସ୍ତ୍ର କିଣିଲେ ମୁଖ୍ୟମନ୍ତ୍ରୀ: ଲୋକାଲ ଫର୍‌ ଭୋକାଲ ପାଇଁ ଦେଲେ ଆହ୍ବାନ

ଭୁବନେଶ୍ୱର,୪।୧୦(ସୁନିତ୍‌ ମିଶ୍ର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନଠାରୁ ଗାନ୍ଧୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯାଉଛି। ଗାନ୍ଧୀ ଜୟନ୍ତୀ ଅବସରରେ ପରିବାର ସହ ଯାଇ ଗୁରୁବାର ଭୁବନେଶ୍ୱର ସ୍ଥିତ ବୟନିକାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣିଛନ୍ତି। ଏଥିରେ ସେ ଏବଂ ତାଙ୍କ ପରିବାର ଅତ୍ୟନ୍ତ ଆନନ୍ଦିତ ବୋଲି ସେ କହିଛନ୍ତି। ଭାରତ ବର୍ତ୍ତମାନ ବିଶ୍ବର ୪ର୍ଥ ବୃହତ ଅର୍ଥନୀତି। ଦେଶ ସ୍ବାଧୀନତାର ୧୦୦ ବର୍ଷ ଅର୍ଥାତ୍‌ ୨୦୪୭ ସୁଦ୍ଧା ବିକଶିତ ଅର୍ଥନୀତି ହେବା ଲକ୍ଷ୍ୟରେ ଭାରତ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଓଡ଼ିଆଙ୍କ ସଂକଳ୍ପ ଆମ ସ୍ବତନ୍ତ୍ର ରାଜ୍ୟ ଗଠନର ୧୦୦ ବର୍ଷ ପୂର୍ତ୍ତି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରାଯିବ। ବିକଶିତ ଭାରତ ଗଠନରେ ଆମ ଓଡ଼ିଶାର ପ୍ରମୁଖ ଯୋଗଦାନ ରହିବ। ଏଥିପାଇଁ ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ସଂକଳ୍ପରୁ ସିଦ୍ଧି ଆଡକୁ ଆଗେଇବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, ତାଙ୍କର ମନେ ଅଛି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଥମ ମନ୍‌ କୀ ବାତ୍‌ ୨୦୧୪ ଅକ୍ଟୋବର ୩ ତାରିଖରେ କରିଥିଲେ ଏବଂ ତାହା ଥିଲା ପବିତ୍ର ବିଜୟା ଦଶମୀ। ତାଙ୍କ ପ୍ରଥମ ମନ୍‌ କୀ ବାତ୍‌, ଗାନ୍ଧୀ ଜୟନ୍ତୀର ପରଦିନ ଦେଶବାସୀଙ୍କୁ ଖଦି ବସ୍ତ୍ର ପିନ୍ଧିବାର ଆହ୍ବାନ ଦେଇଛନ୍ତି। ୨୦୧୪ରେ ମୋଦି ଖଦିକୁ ଏକ ବ୍ୟାପକ ଅର୍ଥରେ ବୁଝାଇବା ପାଇଁ ଚେଷ୍ଟା କରିଥିଲେ। ଖଦିର ବ୍ୟାପକ ଅର୍ଥ ସ୍ବଦେଶୀ। ଏହାର ପ୍ରକୃତ ବ୍ୟାଖ୍ୟା ହେଉଛି ଆତ୍ମନିର୍ଭର ଭାରତ। କୋଭିଡ ସମୟରେ ମୋଦି ବାଧ୍ୟବାଧକତା ମାଧ୍ୟମରେ ଭୋକାଲ ଫର୍‌ ଲୋକାଲର ଆବଶ୍ୟକତାକୁ ଦେଶବାସୀଙ୍କୁ ସରଳ ଭାବେ ବୁଝାଇଥିଲେ। ଦେଶର ସୁନ୍ଦର ଭବିଷ୍ୟତ, ଖଦି, ସ୍ବଦେଶୀ, ଭୋକାଲ ଫର୍‌ ଲୋକାଲ, ଆତ୍ମନିର୍ଭର ଭାରତ ଏବଂ ଏହାର ଅନ୍ତିମ ପର୍ଯ୍ୟାୟ ବିକଶିତ ଭାରତ। ବିକଶିତ ଭାରତର ଟାରିଫକୁ ଡର ରହିବ ନାହିଁ। ଟାରିଫକୁ ନେଇ କେହି ଭୟ ଦେଖାଇ ପାରିବେନି। ଆମ ଅର୍ଥନୀତି ସ୍ବୟଂ ସମ୍ପୂର୍ଣ୍ଣ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଭୋକାଲ ଫର୍‌ ଲୋକାଲ ଓ ସ୍ବଦେଶୀର ଆଦ୍ୟ ପଥ ପ୍ରଦର୍ଶକ। ବର୍ତ୍ତମାନ ମଧ୍ୟ ଶ୍ରୀମନ୍ଦିରରେ ଆଳୁ ଓ ବିଲାତି ବାଇଗଣ ପଶିବା ନିଷେଧ କରାଯାଇଛି। ମହାପ୍ରଭୁ ଓଡ଼ିଆ ଲୋକଙ୍କ ହାତବୁଣା ବସ୍ତ୍ର ଛଡା ଆଉ କିଛି ପିନ୍ଧନ୍ତି ନାହିଁ। ପ୍ରତୀକାତ୍ମକ ଭାବେ ସେ ବର୍ତ୍ତମାନ ହସ୍ତତନ୍ତ ବସ୍ତ୍ର କିଣିଛନ୍ତି ସତ। କିନ୍ତୁ ଓଡ଼ିଶା ଓ ଦେଶବାସୀ ବିକଶିତ ଭାରତ ଗଠନ କରିବା ପାଇଁ ଭୋକାଲ ଫର୍‌ ଲୋକାଲ ସ୍ବଦେଶୀ ମନ୍ତ୍ରରେ ଅଭିମନ୍ତ୍ରିତ ହେବା ପାଇଁ ଆହ୍ବାନ କରୁଛି ବୋଲି ସେ କହିଛନ୍ତି।

Share