ସର୍ବଭାରତୀୟ କ୍ରୀଡା ସମାରୋହ ଉଦ୍‌ଯାପିତ: ଯୋଗଦେଲେ ମୁଖ୍ୟମନ୍ତ୍ରୀ

ରାଉରକେଲା,୧୫।୧୧(ବିପ୍ଳବ ରଞ୍ଜନ ଦାଶ): ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଜନଜାତି ଶିକ୍ଷାର୍ଥୀମାନଙ୍କ ଅନୁଷ୍ଠାନ(ନେଷ୍ଟସ) ଏବଂ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗ ଓଡିଶା ଆଦର୍ଶ ଜନଜାତି ଶିକ୍ଷା ବିଭାଗ (ଓଏମ୍‌ଟିଇଏସ୍‌) ମିଳିତ ଆନୁକୂଲ୍ୟରେ ରାଉରକେଲା ବିର୍ସା ମୁଣ୍ଡା ଆଥ୍‌ଲେଟିକ ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ସର୍ବଭାରତୀୟ କ୍ରୀଡୋତ୍ସବ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ, କ୍ରୀଡା ବିନା ଦେଶ ଏବଂ ରାଜ୍ୟର ବିକାଶ ଅସମ୍ଭବ। ଏହି ଚତୁର୍ଥ ଜାତୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟସ୍ତରୀୟ ଜାତୀୟ କ୍ରୀଡା ଅନୁସୂଚିତ ଜନଜାତି, ସଂଖ୍ୟାଳଘୁ ଏବଂ ପଛୁଆ ଶ୍ରେଣୀର ଯୁବବର୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା କ୍ରୀଡା ଦକ୍ଷତାକୁ ଉଜାଗର କରିବ। ଏହାଦ୍ୱାରା ଏହି ପିଲାମାନଙ୍କ ଭବିଷ୍ୟତ ଉଜ୍ୱଳ ହେବା ସହିତ ଦେଶ ଓ ରାଜ୍ୟରେ କ୍ରୀଡା, ସୁରକ୍ଷା ତଥା ବିଭିନ୍ନ କ୍ଷେତ୍ରରେ ଯୋଗଦାନ ଦେବାର ସୁଯୋଗରେ ଏହି ଅଂଶଗ୍ରହଣ ବିଶେଷ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ସମେତ ରଘୁନାଥପାଲୀ ଓ ରାଉରକେଲା ବିଧାୟକ ବରେଣ୍ୟ ଅତିଥି, ଓଏମ୍‌ଟିଇଏସ୍‌ର ବି. ପରମେଶ୍ୱରନ, କ୍ରୀଡାବିତ୍‌ ଦୂତୀ ଚାନ୍ଦ ଏବଂ ସୁନ୍ଦରଗଡ ଜିଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥିମାନେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ୫ଦିନ ଧରି ଚାଳିଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ ୨୨ଟି ରାଜ୍ୟର ୫,୫୦୦ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗ ନେଇଥିଲେ। ବି. ପରମେଶ୍ୱରନ ଧନ୍ୟବାଦ ଅର୍ପଣ କରିଥିଲେ।

Share