କେନ୍ଦୁଝର,୧୦ା୪: କେନ୍ଦୁଝର କାଳୀ ପଡ଼ିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ ପଡ଼ିଆରେ ପହଞ୍ଚି ଯଜ୍ଞକୁଣ୍ଡ ପାଖକୁ ଯିବା ପୂର୍ବରୁ ତାଙ୍କୁ ସନାତନ ଧର୍ମୀ ବ୍ରାହ୍ମଣମାନେ ମନ୍ତ୍ର ଓ ଶ୍ଳୋକ ଗାନ କରି ସ୍ବାଗତ କରିଥିଲେ। ଏହି ସମୟରେ ସିଦ୍ଧମଠରେ ଥିବା ବେଦ ବିଦ୍ୟାଳୟ ଛାତ୍ରଙ୍କ ଦାରା ପରିବେଶତ ହୋଇଥିବା ଶ୍ଳୋକ ଯଜ୍ଞସ୍ଥଳର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରିଦେଇଥିଲା। ଏହି ଯଜ୍ଞରେ ଅନ୍ୟ ଜିଲାଗୁଡ଼ିକରୁ ୫୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ବ୍ରାହ୍ମଣମାନେ ଯୋଗ ଦେଇଛନ୍ତ। ସକାଳ ୭ଟାରେ ବଡ଼ଶାସନସ୍ଥିତ ବାଲୁଙ୍କେଶ୍ୱର ମହେଶ ମନ୍ଦିର ନିକଟରେ ଥିବା ବଡ଼ପୋଖରୀରୁ ଜଳ ଆଣି କଳସ ଯାତ୍ରାରେ ବ୍ରତୀମାନେ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୧୪ କୁଣ୍ଡ ସହ କୃଷ୍ଣ ଅର୍ଜ୍ଜୁନ ପୂଜନ, ସୂର୍ଯ୍ୟ ପୂଜନ ଓ ଗୋ’ ପୂଜନ କାର୍ଯ୍ୟ ଚାଲିଥିବା କଥା ଆୟୋଜକମାନେ କହିଛନ୍ତି। ଆର୍ଯ୍ୟ ସଂସ୍କୃତି ପରିଷଦର ସଭାପତି ପଣ୍ଡିତ ନିରଞ୍ଜନ ଦାଶ , ଡାକ୍ତର ଦେବଦତ୍ତ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୂଚାରୁ ରୂପେ ଚାଲିଛି। ଏଥିରେ କାଳୀତୀର୍ଥର କର୍ମକର୍ତ୍ତାମାନେ ସହଯୋଗ କରୁଛନ୍ତି।


