ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ମହଙ୍ଗା ପଡ଼ିଲା: ବରିଷ୍ଠ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୭।୧: ଯାତ୍ରା ଡ୍ୟାନ୍ସର ନିଶା ମହାରାଣାଙ୍କ ଅଶ୍ଳୀଳ ନୃତ୍ୟ ଦେଖିବା ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମହଙ୍ଗା ପଡ଼ିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୃତ୍ୟ ଦେଖୁଥିବା ଅଭିଯୋଗରେ ଛତିଶଗଡ଼ ସରକାର ଗରିଆବନ୍ଧ ଜିଲା ମୈନପୁରର ଉପ-ଜିଲାପାଳ ତୁଳସୀଦାସ ମାର୍କାମଙ୍କୁ ନିଲମ୍ବିତ କରିଛନ୍ତି।

ଜାନୁଆରୀ ୯ ତାରିଖରେ ଛତିଶଗଡ଼ରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ବନଦୁର୍ଗା ଗଣନାଟ୍ୟ’ ପକ୍ଷରୁ ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନିଶା ମହାରାଣା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ। ତୁଳସୀଦାସ ମାର୍କାମ ମଞ୍ଚର ପ୍ରଥମ ଧାଡ଼ିରେ ବସି ଏହି ନୃତ୍ୟ ଦେଖୁଥିବାର ଭିଡିଓ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା।

ପୂର୍ବରୁ ତାଙ୍କୁ ବଦଳି କରାଯାଇଥିବା ବେଳେ ଶନିବାର ଗରିଆବନ୍ଧ ଜିଲାପାଳ ତାଙ୍କୁ ନିଲମ୍ବିତ କରିଛନ୍ତି। ଏହି ମାମଲାରେ ପୂର୍ବରୁ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯିବା ସହ ଆୟୋଜକ କମିଟିର ୧୪ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୨ରେ ବଲାଙ୍ଗୀର ଜିଲା ଚନ୍ଦନଭାଟି ଅଞ୍ଚଳରେ ଅନୁରୂପ ଅଶ୍ଳୀଳ ନୃତ୍ୟ କରିଥିବା ଅଭିଯୋଗରେ ନିଶାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଜଣେ ଏଏସଆଇ (ASI)ଙ୍କୁ ବଦଳି କରାଯିବା ସହ ଦୁଇଜଣ ଆୟୋଜକଙ୍କୁ ଗିରଫ କରାଯାଇଛି। ଗିରଫଦାରୀ ଏଡ଼ାଇବା ପାଇଁ ନିଶା ମହାରାଣା ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅଗ୍ରିମ ଜାମିନ ଆବେଦନ କରିଛନ୍ତି।

Share