ନୂଆପଡ଼ା,୨୩।୭ (ମକାରୁ ବେମାଲ): ଛାତ୍ରୀଙ୍କୁ ବଳତ୍କାର ମାମଲାରେ ଗିରଫ ହୋଇଥିବା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ମଙ୍ଗଳବାର ଭାଜପାର ନୂଆପଡ଼ା ଜିଲା ସଭାପତି କମଲେସ ଦୀକ୍ଷିତଙ୍କ ନେତୃତ୍ୱରେ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ସେମାନେ ଏକତା ଛକଠାରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା। ବର୍ତ୍ତମାନ ଖୋଦ କଂଗ୍ରେସ ଦଳର ନେତା ବଳାତ୍କାର ଭଳି ସଙ୍ଗିନ ମାମଲାରେ ଛନ୍ଦିହୋଇଛନ୍ତି। ପିସିସି ସଭାପତି ଇସ୍ତାଫା ଦିଅନ୍ତୁ, ନ ହେଲେ ଭାଜପା ଆନ୍ଦୋଳନକୁ ବ୍ୟାପକ କରିବ ବୋଲି କର୍ମକର୍ତ୍ତା ଚେତାବନୀ ଦେଇଥିଲେ। ଏଥିରେ ସୁଶାନ୍ତ କୁମାର ପତି, ତୁଳସ ପଟେଲ, ଅର୍ଜୁନ ଜଗତ, ନିର୍ମଳ ଅହିର, ସଦାନନ୍ଦ ଯୋଶୀ, ମାନସ ରଥ, ମନୋଜ ସାହୁ, ଶତୃଘନ ସ୍ବାଇଁ, ଟୁକୁ ସାହୁ ପ୍ରମୁଖ ସାମିଲ ଥିଲେ।


