ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ ବଳରେ ପ୍ରତିପକ୍ଷ ଦିଲ୍ଲୀ ଆଗରେ ୨୧୩ ରନର ଟାର୍ଗେଟ ଛିଡ଼ା କରିଛି।
ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ସାମସନ ଓ ଅଧିନାୟକ ଋତୁରାଜ ଗାଏକ୍ୱାଡ ୬୨ ରନର ଆରମ୍ଭ ଦେଇଥିଲେ। ଗତ ୩ ବର୍ଷରେ ଏହା ଥିଲା ସିଏସ୍କେର ପ୍ରଥମ ଅର୍ଦ୍ଧଶତକୀୟ ଓପନିଂ ଭାଗୀଦାରି। ଋତୁରାଜ (୧୫) ଆଉଟ୍ ପରେ ସାମସନ ଓ ଆୟୁଷ ମାହାତ୍ରେ ଦ୍ୱିତୀୟ ଉଇକେଟରେ ୬୭ ବଲରେ ୧୧୩ ରନର ପାର୍ଟନରଶିପ୍ କରିଥିଲେ।
ମାହାତ୍ରେ ୩୬ ବଲରେ ୫୯ (୩ ଚୌକା ଓ ୪ ଛକା) ରନ କରି ରିଟାୟର୍ଡ ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ଶିବମ ଦୁବେ ୧୦ ବଲରେ ୨୦ (୨ ଚୌକା ଓ ୧ ଛକା) ରନ କରିଥିବା ବେଳେ ସାମସନ ୫୬ ବଲରେ ୧୫ ଚୌକା ଓ ୪ ଛକା ସହାୟତାରେ ୧୧୫ ରନ କରି ଅପରାଜିତ ରହିଥିଲେ। ଏହା ତାଙ୍କର ଚତୁର୍ଥ ଆଇପିଏଲ୍ ଶତକ। ସିଏସ୍କେ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ ହରାଇ ୨୧୨ ରନ କରିଥିଲା।

