ଭୁବନେଶ୍ୱର, ୧୦ା୧୧(ସତ୍ୟଜିତ ରାଉତ):ରାଜଧାନୀରେ ସାଇବର ଅପରାଧର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସାଇବର ଠକମାନେ ଜଣେ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ କରି ତାଙ୍କଠାରୁ ଦେଢ଼ କୋଟି ଟଙ୍କା ଲୁଟିନେଇଛନ୍ତି। ଠକେଇର ଶିକାର ବ୍ୟକ୍ତି ଜଣକ ହେଲେ ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍ଏସ୍ନଗର ହାଉସିଂବୋର୍ଡ କଲୋନୀରେ ରହୁଥିବା ବରିଷ୍ଠ ନାଗରିକ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିଜୟ କୁମାର ସାହୁ। ଏପରିକି ବିଜୟ ଓ ତାଙ୍କ ସ୍ତ୍ରୀଙ୍କୁ ଡିଜିଟାଲ ଆରେଷ୍ଟ କରାଯାଇଥିବା ଧମକ ଦେଇ ଅପରାଧୀମାନେ ଉଭୟଙ୍କୁ ୧୦ ଦିନ ଧରି ଗୃହବନ୍ଦୀ ରଖିଥିଲେ। ସାଇବର ଅପରାଧୀଙ୍କ ଦ୍ୱାରା ଏଭଳି ମାନସିକ ନିର୍ଯାତନାର ଶିକାର ହୋଇ ଘରେ ବନ୍ଦୀ ଥିବା ଦମ୍ପତିଙ୍କୁ କମିଶନରେଟ୍ ପୋଲିସ ଉଦ୍ଧାର କରିବା ପରେ ଶୁକ୍ରବାର ଘଟଣା ପଦାକୁ ଆସିଛି। ଗୁରୁବାର ରାତିରେ ବିଜୟ ଏନେଇ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ। ତେବେ ଠକେଇର ପରିମାଣ ଢ଼େର ଅଧିକ ଥିବାରୁ ସାଇବର ଥାନା ପକ୍ଷରୁ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର୍ କରିଦିଆଯାଇଛି। କ୍ରାଇମବ୍ରାଞ୍ଚର ସାଇବର ଥାନା ପକ୍ଷରୁ ଏ ସମ୍ପର୍କରେ ମାମଲା ରୁଜୁ କରାଯାଇ ଘଟଣାର ଛାନଭିନ୍ ଆରମ୍ଭ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ବିଜୟ କିଛିବର୍ଷ ତଳେ ଅବସର ନେଇଥିଲେ। ସେ ସ୍ତ୍ରୀଙ୍କ ସହ ରହୁଥିବା ବେଳେ ତାଙ୍କ ପିଲାମାନେ ବିଦେଶରେ ରହୁଛନ୍ତି। ୧୦ଦିନ ତଳେ ବିଜୟଙ୍କୁ ସାଇବର ଠକମାନେ କଲ୍ କରି ନିଜକୁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଅଧିକାରୀ ପରିଚୟ ଦେଇ ଧମକାଇଥିଲେ। ତାଙ୍କ ନମ୍ବର ଏକ କ୍ରାଇମ ସିଣ୍ଡିକେଟ୍ରେ ବ୍ୟବହାର ହୋଇଥିବା ସେମାନେ କହିବାରୁ ବିଜୟ ଡରିଯାଇଥିଲେ। ସାଇବର ଠକମାନେ ପୋଲିସ ପୋଷାକରେ ଭିଡିଓ କଲ୍ କରିଥିଲେ। ତାଙ୍କୁ ଗିରଫ କରାଯାଇଥିବା କହି ବ୍ଲାକ୍ମେଲ୍ କରିଥିଲେ। ଘରୁ ବାହାରକୁ ନ ଯିବାକୁ ଦମ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ସାଇବର ଠକଙ୍କ କଥାକୁ ବିଶ୍ୱାସ କରି ବିଜୟ ତାଙ୍କ ବ୍ୟକ୍ତିଗତ ତଥ୍ୟ ଦେବା ସହ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇ ଦେଇଥିଲେ। ଏପରିକି ନିଜ ପାଖରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ସେ ଋଣ ମଧ୍ୟ ଆଣିଥିଲେ। ଏହି ଘଟଣା ବିଷୟରେ ବିଜୟ ଓ ତାଙ୍କ ସ୍ତ୍ରୀ କାହାକୁ ନ କହି ଘରେ ମାନସିକ ଅବସାଦରେ ରହୁଥିଲେ। ସାଇବର ଠକମାନେ ନିରନ୍ତର ଭିଡିଓ କଲ୍ରେ ରହି ଦମ୍ପତିଙ୍କୁ ଡରାଇବା ସହ ତାଗିଦ୍ କରୁଥିଲେ। ତେବେ ବୟସ୍କ ଦମ୍ପତି ଘରୁ ବାହାରୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ଗୁରୁବାର ରାତିରେ ଶହୀଦନଗର ଥାନାକୁ ଖବର ଦେଇଥିଲେ। ପୋଲିସ ଟିମ୍ ତାଙ୍କ ଘରକୁ ଯାଇ ଡାକିଥିଲେ ମଧ୍ୟ ସେମାନେ କବାଟ ଖୋଲି ନ ଥିଲେ। ବହୁ ଅନୁରୋଧ ପରେ ସେମାନେ ଭରସା କରି ବାହାରକୁ ଆସିଥିଲେ। ଏହାପରେ ପୋଲିସ ଟିମ୍ ଦମ୍ପତିଙ୍କୁ ସାଇବର ଥାନାକୁ ନେଇଥିଲା। ତେବେ ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇପଡିଥିବାରୁ ସେମାନେ ମାନସିକ ଚାପରେ ଥିବା ଦେଖିବାକୁ ମିଳିଥିଲା।