ରଥକାଠ ଅନୁକୂଳ

ବାରିପଦା ଅଫିସ,୬ା୨: ଚଳିତବର୍ଷ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ଶ୍ରୀପଞ୍ଚମୀ ଅବସରରେ ଶନିବାର ରଥକାଠ ଅନୁକୂଳ କରାଯାଇଛି। ବନ ବିଭାଗ ଅନୁମତି କ୍ରମେ ମଞ୍ଚାବନ୍ଧା ସଂରକ୍ଷିତ ଜଙ୍ଗଲରୁ ରୀତିନୀତି ଅନୁଯାୟୀ ଗଛକୁ ପୂଜାର୍ଚ୍ଚନା କରାଯାଇଛି। ୬ଜଣ ରଥ ମହାପାତ୍ର କରତିଆ ସେବକ, ବାର୍ଷିଆ ସେବକମାନେ ଜଙ୍ଗଲଦେବତା ଓ ଗଛ ଦେବତାଙ୍କୁ ପୂଜା କରି ଠାକୁରଙ୍କ ଅନୁମତି ପାଇବା ପରେ ଗଛ କାଟିବା ଆରମ୍ଭ କରିଥିଲେ। ଶଙ୍ଖ, ଘଣ୍ଟ ଘଣ୍ଟା ବଜାଇ ସଂକୀର୍ତ୍ତନ କରି ରଥକାଠକୁ ମନ୍ଦିର ପରିସରରେ ରଖାଯାଇଛି। ପରେ ଏହାକୁ ରଥଖଳାକୁ ଅଣାଯାଇ ରଥ କାର୍ଯ୍ୟରେ ନିୟୋଜିତ କରାଯିବ।
ଥାଉକି, ଏହିଦିନଠାରୁ ରଥଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଥାଏ। ପ୍ରତିବର୍ଷ ତିନିରଥରେ ଲାଗିଥିବା ଶାଳ କାଠଗୁଡ଼ିକ ମଧ୍ୟରୁ ଭାଙ୍ଗିରୁଜି ଯାଇଥିବା କାଠ ପାଇଁ ସ୍ବତନ୍ତ୍ର ବିଧି ଅନୁଯାୟୀ ଆଜିର ପବିତ୍ର ଦିନରେ ରଥକାଠ ଅନୁକୂଳ କରାଯାଇଥାଏ। ଏହି କାଠ ପହଞ୍ଚିବା ପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ତେବେ ଦୁଇବର୍ଷ ଧରି କରୋନା କଟକଣା ଯୋଗୁ ରଥାଯାତ୍ରା ଅନୁଷ୍ଠିତ ହୋଇପାରି ନାହିଁ। ଚଳିତବର୍ଷ ରଥଯାତ୍ରା ହେଲେ ରଥାରୁଢ଼ା ଦିଅଁଙ୍କୁ ଦର୍ଶନ କରି ଅପାର କୃପା ଲାଭ କରିବେ ବୋଲି ଶ୍ରଦ୍ଧାଳୁମାନେ ଆଶା ବାନ୍ଧିଛନ୍ତି।