ତିହିଡ଼ି,୯।୧୧(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ଜଣେ ନାବାଳକଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ମାଡ଼ ମାରିବା ପରେ ନାବାଳକ ପିନ୍ଧିଥିବା ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ପୋଲିସ ଧମକ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଥାନାର ଜଣେ ଏସ୍ଆଇଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ମାଡ଼ ମାରିଥିବା ନେଇ ନାବାଳକଙ୍କ ବାପା ଶରତ ମାଝୀ ଶୁକ୍ରବାର ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାଡ଼ ଘଟଣାର ତଦନ୍ତ କରାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି।
ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏକ ମୋବାଇଲ ଚୋରି ଘଟଣାକୁ ନେଇ ନରେନ୍ଦ୍ରପୁର ଗ୍ରାମର ଜଣେ ମହିଳା ଗତ ମାସ ୨୭ ତାରିଖରେ ତାଙ୍କ ନାବାଳକ ପୁଅଙ୍କ ନଁାରେ ପୀରହାଟ ଥାନାରେ ଅଭିଯୋଗ କରିଥିଲେ। ପରଦିନ ଶରତ ମଧ୍ୟ ଏହି ଘଟଣାକୁ ନେଇ ଥାନାରେ ପାଲଟା ଅଭିଯୋଗ କରିଥିଲେ। ଗତ ୨ ତାରିଖ ରାତି ୮ଟାରେ ଥାନାରେ ହାଜର ହେବାକୁ ଶରତଙ୍କୁ ଫୋନ ଯୋଗେ ପୋଲିସ ଜଣାଇଥିଲେ। ତଦନୁଯାୟୀ ଶରତ ଏବଂ ତାଙ୍କ ନାବାଳକ ପୁଅ ଥାନାରେ ପହଞ୍ଚତ୍ଥିଲେ। ଥାନା ଅଧିକାରୀ ରୋଜାଲିନ ବେହେରା ଉଭୟ ପକ୍ଷଙ୍କୁ ଡାକି ମୋବାଇଲ ସମ୍ପର୍କରେ ପଚରାଉଚରା କରିଥିଲେ। ତାଙ୍କ ପୁଅ ମୋବାଇଲ ଚୋରି ଅଭିଯୋଗକୁ ଅସ୍ବୀକାର କରିବାରୁ ଥାନାର ଜଣେ ଏସ୍ଆଇ ଉତ୍କ୍ଷିପ୍ତ ହୋଇ ତାଙ୍କୁ ବାହାରକୁ ଟାଣି ନେଇ ନିସ୍ତୁକ ମାଡ଼ ମାରିଥିଲେ। ଥାନାର ଅନ୍ୟ ଜଣେ କର୍ମଚାରୀ ମଧ୍ୟ ନାବାଳକଙ୍କ ଛାତିକୁ ଏକ ପାଇପ୍ରେ ପିଟିବା ସହ ଗାଳିଗୁଲଜ କରିଥିଲେ। ଏଥିସହ ସେହି କର୍ମଚାରୀ ନାବାଳକଙ୍କୁ ଶାର୍ଟ ପ୍ୟାଣ୍ଟ ଖୋଲିବାକୁ ଧମକ ଦେବାରୁ ସେ ଶାର୍ଟ ଖୋଲିଥିଲେ। ରାତି ୧ଟା ପରେ ବାପ ପୁଅଙ୍କୁ ପୋଲିସ ଛାଡ଼ିଥିଲା। ତେବେ ପୋଲିସ ମାଡ଼ରେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନାବାଳକ ସୁସ୍ଥ ହେବା ପରେ ତାଙ୍କ ବାପା ଏ ସମ୍ପର୍କରେ ଏସ୍ପିଙ୍କ ନିକଟରେ ଅଭିଯୋଗ କରିବା ସହ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଥାନାର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସେ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ବେହେରା କହିଛନ୍ତି, ଏକ ମୋବାଇଲ ଚୋରି ଘଟଣାର ତଦନ୍ତ ପାଇଁ ନାବାଳକ ଓ ତାଙ୍କ ବାପାଙ୍କୁ ଥାନାକୁ ଡକାଯାଇଥିଲା। ମାତ୍ର ପୋଲିସ ମାଡ଼ ମାରିଥିବା ଅଭିଯୋଗର ସତ୍ୟତା ନାହିଁ।