ଦୁବାଇ,୮ା୩: ରବିବାର ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମୁକାବିଲା। ଏଥିରେ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରକୁ ଭେଟିବେ। ୨୦୧୩ ସଂସ୍କରଣରେ ଚାମ୍ପିୟନ ହୋଇଥିବା ଭାରତ ଏଥର ତୃତୀୟ ଥର ପାଇଁ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଭାରତ ୨୦୦୨ ସଂସ୍କରଣରେ ଶ୍ରୀଲଙ୍କା ସହିତ ମିଳିତ ଚାମ୍ପିୟନ ହୋଇଥିଲା। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଥର ପାଇଁ ଏହି ଆଇସିସି ଟୁର୍ନାମେଣ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି। ନ୍ୟୁଜିଲାଣ୍ଡ ୨୦୦୦ ସଂସ୍କରଣରେ ଚାମ୍ପିୟନ ହୋଇଥିଲା। ସଂଯୋଗର ବିଷୟ ଯେ, ନ୍ୟୁଜିଲାଣ୍ଡ ସେଥର ଫାଇନାଲରେ ଭାରତକୁ ହରାଇଥିଲା।
ଏପର୍ଯ୍ୟନ୍ତ ଆଇସିସି ଟୁର୍ନାମେଣ୍ଟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୧୬ଟି ମ୍ୟାଚ ଖେଳାଯାଇଛି। ଏଥିରୁ ନ୍ୟୁଜିଲାଣ୍ଡ ୧୦ ମ୍ୟାଚ ଜିତିଥିବା ବେଳେ ଭାରତକୁ ୬ ମ୍ୟାଚରେ ଜିତାପଟ ମିଳିଛି। ଆଇସିସି ଟୁର୍ନାମେଣ୍ଟର ନକ୍ଆଉଟ ପର୍ଯ୍ୟାୟରେ ମଧ୍ୟ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି। ଦୁଇ ଦଳ ନକ୍ଆଉଟ ପର୍ଯ୍ୟାୟରେ ୪ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରୁ ନ୍ୟୁଜିଲାଣ୍ଡ ୩ ଥର ବାଜି ମାରିଥିବା ବେଳେ ଭାରତ କେବଳ ଥରେ ବିଜୟ ସ୍ବାଦ ଚାଖିଛି। ଅନ୍ତିମ ଥର ୨୦୨୩ ବିଶ୍ୱକପ ସେମିଫାଇନାଲରେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ। ଏହି ହାଇ ସ୍କୋରିଂ ମ୍ୟାଚରେ ଭାରତ ବିଜୟୀ ହୋଇଥିଲା। ଏଥିପୂର୍ବରୁ ୨୦୨୧ ଆଇସିସି ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ, ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲ ଓ ୨୦୦୦ ଆଇସିସି ନକ୍ଆଉଟ ଟୁର୍ନାମେଣ୍ଟର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା।


