ଭଞ୍ଜନଗର,୧୯ା୬(ବାବୁଲା ପ୍ରଧା): ଗ୍ରୀଷ୍ମ ଛୁଟି ସରିବା ପରେ ଆସନ୍ତା ୨୧ ତାରିଖରୁ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଶିକ୍ଷାଦାନ ପାଇଁ ଖୋଲିବ। ଏହାପୂର୍ବରୁ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ସଜଡ଼ା ଚାଲିଛି। ଅପରପକ୍ଷେ ଚଳିତ ଶିକ୍ଷାବର୍ଷଠାରୁ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପୁସ୍ତକ ବଦଳିଛି। କିନ୍ତୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାର ୩ ମାସ ବିତିବାକୁ ବସିଲାଣି କିନ୍ତୁ ନୂଆ ପୁସ୍ତକ ଆଜି ସୁଦ୍ଧା ବଜାରକୁ ଆସିନାହିଁ। ଚଳିତ ବର୍ଷ ଠାରୁ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ବୋର୍ଡ଼ ପରୀକ୍ଷା ସହ ପାସ ଫେଲ ବ୍ୟବସ୍ଥା ଅଛି। କିନ୍ତୁ ନୂଆ ପୁସ୍ତକ ବଜାରକୁ ଆସି ନ ଥିବା ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ବ୍ୟାହତ ହୋଇଛି। ଯାହାକୁ ନେଇ ଅଭିଭାବକ ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅନ୍ୟପଟେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି। ବହୁଦିନ ଧରି ବିଦ୍ୟାଳୟର ଯେଉଁ ଶୌଚାଳୟ ସମସ୍ୟା ଥିଲା ତାହାର ସମାଧାନ କରାଯାଇଛି। ପ୍ରାୟ ୧୫ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଶୌଚାଳୟ ନିର୍ମାଣ ହୋଇଛି। ସେହିଭଳି ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ମଧ୍ୟ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ବିଦ୍ୟାଳୟ ଚେୟାରମ୍ୟାନ ତଥା ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ସହଯୋଗରେ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଦ୍ୟାଳୟର ଶୌଚାଳୟ ସମେତ କିଛି ସମସ୍ୟା ଦୂର କରାଯାଇଛି। ତେଣୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସାଇଁ ଗୁରୁବାର ବିଦ୍ୟାଳୟ ପରିଦର୍ଶନ କରି ଶୁକ୍ରବାର ସୁଦ୍ଧା ବିଦ୍ୟାଳୟର ସମସ୍ତ କାମ ସାରି ହସ୍ତାନ୍ତର କରାଯିବ ବୋଲି ଅଧ୍ୟକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାଯୋଗ୍ୟ, ଆଜକୁ ୧୫ ବର୍ଷ ପୂର୍ବେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପୁରାତନ ଛାତ୍ରାବାସରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଥିଲା। ବିଦ୍ୟାଳୟର ସ୍ଥାୟୀ କୋଠା ନ ଥିବାରୁ ବର୍ତ୍ତମାନ ସ୍ଥାୟୀ କୋଠା କାମ ଆରମ୍ଭ ହେବାକୁ ଯାଉଛି। ରାଜସ୍ବ ବିଭାଗ ପକ୍ଷରୁ ୩ ବର୍ଷ ପୂର୍ବେ ଆଇଟିଆଇ ସମ୍ମୁଖରେ ପ୍ରାୟ ୯ ଏକର ଜମି କେନ୍ଦ୍ରୀୟ ବିଦ୍ୟାଳୟକୁ ଦିଆଯାଇଥିଲା। ଉକ୍ତ ଜମିରେ ୩୫ କୋଟି ଟଙ୍କା ବ୍ୟୟରେ ସ୍ଥାୟୀ କୋଠା ନିର୍ମାଣ ହେବ। କିଛିଦିନ ପରେ ଉକ୍ତ କାମର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। କାମ ଆରମ୍ଭ ହେବାର ଦୁଇରୁ ତିନି ବର୍ଷ ମଧ୍ୟରେ କୋଠା କାମ ସରିବ। ଏହାପରେ ସେଠାରେ ଯୁକ୍ତ ୨ ପର୍ଯ୍ୟନ୍ତ କ୍ଲାସ ଖୋଲିବ। ବର୍ତ୍ତମାନ ଅସ୍ଥାୟୀ କ୍ୟାମ୍ପସ୍ରେ
୧୦ମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ହେଉଛି। ବିଦ୍ୟାଳୟ ସ୍ଥାୟୀ କୋଠାକୁ ଯିବା ପୁର୍ବରୁ ଏଠାରେ ମଧ୍ୟ ଯୁକ୍ତ ୨ କ୍ଲାସ୍ ଖୋଲିବା ପାଇଁ ପଦକ୍ଷେପ ନେବାକୁ କିଛି ଅଭିଭାବକ ଅଧ୍ୟକ୍ଷଙ୍କୁ ନିବେଦନ କରିଛନ୍ତି। ଭିତ୍ତିଭୂମିକୁ ଦେଖି ଆଗାମୀ ଦିନରେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷ ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।


