ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍ରେ ଏଲ୍ପିଜି ଚାର୍ଜ, ଗ୍ୟାସ୍ ସର୍ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା ଭଳି ଅତିରିକ୍ତ ଶୁଳ୍କ ଆଦାୟକୁ ବେଆଇନ ବୋଲି କହିଛନ୍ତି । ଗ୍ରାହକ ସୁରକ୍ଷା ଆଇନ-୨୦୧୯ ଅନୁସାରେ ଏହିଭଳି କାର୍ଯ୍ୟକୁ ଅସାଧୁ ବୋଲି ଦର୍ଶାଯାଇଛି। ସର୍ଭିସ୍ ଚାର୍ଜ ସମ୍ପର୍କିତ ନିର୍ଦ୍ଦେଶାବଳୀକୁ ଏଡ଼ାଇବା ପାଇଁ ଏଭଳି ଚାର୍ଜଗୁଡିକ ପୂର୍ୱ ନିର୍ଦ୍ଧାରିତ ଭାବେ ଲଗାଯାଉଥିବା ଲକ୍ଷ୍ୟକରି ପ୍ରାଧିକରଣ ଗ୍ରାହକ ସୁରକ୍ଷା ଆଇନ ୨୦୧୯ର ଧାରା ୧୦ ଅନୁଯାୟୀ ଏକ ନୂଆ ପରାମର୍ଶବଳୀ ଜାରି କରିଛନ୍ତି। ଏଭଳି କୌଣସି ଚାର୍ଜ ସ୍ୱୟଂଚାଳିତ ଭାବେ ଲଗାଇଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଜାତୀୟ ଗ୍ରାହକ ହେଲ୍ପଲାଇନରେ ପ୍ରାପ୍ତ ଅଭିଯୋଗ ଏବଂ ଗଣମାଧ୍ୟମର ରିପୋର୍ଟକୁ ଆଧାରକରି ସିସିପିଏ ଏହିଁ ଦୃଢ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସିସିପିଏ ଲକ୍ଷ୍ୟ କରିଛି ଯେ, କେତେକ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମେନୁରେ ଦର୍ଶାଯାଇଥିବା ଖାଦ୍ୟ ଓ ପାନୀୟର ମୂଲ୍ୟ ଏବଂ ପ୍ରଯୁଜ୍ୟ ଟିକସ ବ୍ୟତୀତ ଗ୍ରାହକ ବିଲ୍ରେ ପୂର୍ୱ ନିର୍ଦ୍ଧାରିତ ଭାବେ ଏଭଳି ଚାର୍ଜ ଆଦାୟ କରୁଛନ୍ତି। ଏଲ୍ପିଜି ଚାର୍ଜ କିମ୍ୱା ସେହିଭଳି ଅନ୍ୟ କିଛି ଚାର୍ଜ ଆଦାୟ କରିବାକୁ ଆଇନର ପ୍ରାବଧାନକୁ ଏଡାଇବାର ପ୍ରୟାସ ବୋଲି କହିଛି ସିସିପିଏ। ଇନ୍ଧନ, ଏଲ୍ପିଜି, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ ପରିଚାଳନାଗତ ଖର୍ଚ୍ଚ ହେଉଛି ବ୍ୟବସାୟ ଚଳାଇବା ପାଇଁ ଲାଗୁଥିବା ଖର୍ଚ୍ଚର ଗୋଟିଏ ଗୋଟିଏ ଅଂଶବିଶେଷ ଏବଂ ଏହାକୁ ମେନୁରେ ଥିବା ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ପୃଥକ ବାଧ୍ୟତାମୂଳକ ଚାର୍ଜ ମାଧ୍ୟମରେ ଏଭଳି ଖର୍ଚ୍ଚ ଆଦାୟ କରିବା ଆଇନର ଧାରା ୨(୪୭) ଅନୁଯାୟୀ ଅସାଧୁ ବ୍ୟାପାର ହୋଇଥାଏ। କୌଣସି ହୋଟେଲ କିମ୍ୱା ରେଷ୍ଟୁରାଣ୍ଟ ବିଲରେ ପୂର୍ୱ ନିର୍ଦ୍ଧାରିତ କିମ୍ୱା ସ୍ୱୟଂଚାଳିତ ଭାବରେ ଏଲପିଜି ଚାର୍ଜ, ଗ୍ୟାସ୍ ଚାର୍ଜ କିମ୍ୱା ସେହିଭଳି ଚାର୍ଜ ଆଦାୟ କରିପାରିବେ ନାହିଁ। ଗ୍ରାହକମାନଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବା ପାଇଁ ବିଭ୍ରାନ୍ତ କିମ୍ୱା ବାଧ୍ୟ କରାଯିବ ନାହିଁ, ଯାହା ସ୍ୱେଚ୍ଛାକୃତ ନୁହେଁ। ଯେଉଁ ଗ୍ରାହକମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ବିଲ୍ରୁ ସେହି ଚାର୍ଜ ହଟାଇବା ପାଇଁ ହୋଟେଲ କିମ୍ୱା ରେଷ୍ଟୁରାଣ୍ଟକୁ ଅନୁରୋଧ କରିବେ। ୧୯୧୫ ନମ୍ୱରରେ କଲ୍ କରି କିମ୍ୱା ଜାତୀୟ ଖାଉଟି ସହାୟତା ମୋବାଇଲ ଆପ ମାଧ୍ୟମରେ ନ୍ୟାଶନାଲ କଞ୍ଜୁମର ହେଲ୍ପଲାଇନରେ ଅଭିଯୋଗ କରନ୍ତୁ। ଇ-ଜାଗୃତି ପୋର୍ଟାଲ ମାଧ୍ୟମରେ ସମ୍ପୃକ୍ତ ଗ୍ରାହକ କମିଶନଙ୍କ ନିକଟରେ ଅଭିଯୋଗ କରିପାରିବେ। ନଚେତ ଜିଲା ମାଜିଷ୍ଟ୍ରେଟ କିମ୍ୱା ସିଧାସଳଖ ସିସିପିଏ ନିକଟରେ ଅଭିଯୋଗ ଦାଖଲ କରିପାରିବେ।