କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ସମସ୍ତ କର୍ମଚାରୀଙ୍କୁ ସହକାରୀ ନିର୍ଦ୍ଦେଶକ, ଜନଗଣନା ପରିଚାଳନା ନିର୍ଦ୍ଦେଶାଳୟ ଉମାଶଙ୍କର ସାହୁ, ପରିସଂଖ୍ୟାନ ଅନୁସନ୍ଧାନକାରୀ ବସନ୍ତ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଗୃହ ତାଲିକାକରଣ ଓ ଗୃହ ଗଣନାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଜନଗଣନା ସମ୍ବନ୍ଧୀୟ ବିଷୟ ଉପରେ ତାଲିମ ପ୍ରଦାନ କରିଥିଲେ। ବୈଠକରେ ଜନଗଣନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା ୧୬ ଏପ୍ରିଲ ୨୦୨୬ ରୁ ଆରମ୍ଭ ହୋଇ ୧୫ ମେ’ ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହା ଦେଶର ପ୍ରଥମ ଡିଜିଟାଲ ଜନଗଣନା, ହୋଇଥିବାରୁ ଏଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ସେଲ୍ଫ ଏନ୍ୟୁମେରେସନ, ସାଧାରଣ ଜନତାଙ୍କ ସୁବିଧା ପାଇଁ ୦୧ ଏପ୍ରିଲ ୨୦୨୬ରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ନିଜସ୍ବ ଗଣନା ବ୍ୟବସ୍ଥା ଉପଲବ୍ଧ ହେବ, ଯେଉଁଠାରେ ନାଗରିକମାନେ ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବେ। ମୋବାଇଲ ଆପ୍ ବ୍ୟବହାର ଏବଂ ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ ସମ୍ପର୍କରେ ସମସ୍ତ ଚାର୍ଜ ଅଧିକାରୀଙ୍କୁ ବିଧିବଦ୍ଧ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଉପଜିଲାପାଳ କେନ୍ଦୁଝର ଉମାଶଙ୍କର ଦଳେଇ, ଉପଜିଲାପାଳ ଆନନ୍ଦପୁର ନୀଳମାଧବ ସୁନା, ଉପଜିଲାପାଳ ଚମ୍ପୁଆ ଉମାକାନ୍ତ ପରିଡ଼ା, ସହକାରୀ ଜିଲାପାଳ ସରୋଜ କୁମାର ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟଧାରା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଏଥିସହ ସମସ୍ତ ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଜନଗଣନା କାର୍ଯ୍ୟକୁ ସଠିକ ସମୟରେ ଓ ନିର୍ଭୁଲ ଭାବେ ସମ୍ପାଦନ କରିବାକୁ ଜିଲାପାଳ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।