ଭଞ୍ଜନଗର,୨୬।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧) ପକ୍ଷରୁ ସୋମବାର ସାଧାରଣତନ୍ତ୍ର ଦିବସ କିଛି ଅଲଗା ଭାବରେ ପାଳନ କରାଯାଇଥିଲା । ସ୍ବେଛାସେବୀ ମାନେ ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଚିଦାନନ୍ଦ କୁଷ୍ଠ ରୋଗୀ ରିଲିଫ କେନ୍ଦ୍ରରେ ପହଞ୍ଚି ଅନ୍ତେବାସୀ ମାନଙ୍କ ସହ ମିଶି ଗଣତନ୍ତ୍ର ଦିବସ ପାଳନ କରିଥିଲେ। ଏହା ପୁର୍ବରୁ ସ୍ବେଚ୍ଛାସେବୀ ମାନେ ସେଠାରେ ଚିଦାନନ୍ଦ ଆଶ୍ରମ କର୍ମକର୍ତ୍ତାଙ୍କ ସହ ମିଶି ସଫେଇ କାର୍ଯ୍ୟ କରିଥିଲେ। ଷପରେ ଅନ୍ତେବାସୀମାନଙ୍କୁ ପ୍ରାୟ ୧୫ ଦିନ ପାଇଁ ଆଳୁ, ପିଆଜ, ପତ୍ରକୋବି, କମଳା, ଆପେଲ, ବିସ୍କେଟ ଭର୍ତ୍ତି ପ୍ୟାକେଟ ପ୍ରଦାନ କରାଯାଇଥିଲା। ଏଥିସହ ସମସ୍ତ ଅନ୍ତେବାସୀଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା।
ଏଥିରେ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜାତୀୟ ସେବା ଯୋଜନା ଶାଖା ୧ ଏବଂ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସହାୟତା ଉପ ଜିଲାପାଳ ପ୍ରଦାନ କରିଥିଲେ। ଏଥିସହ ସମସ୍ତଙ୍କୁ ଅଙ୍ଗବସ୍ତ୍ର ପ୍ରଦାନ କରି ଉପ ଜଲାପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଉପ ଜିଲାପାଳ ବେହେରା ଜାତୀୟ ସେବା ଯୋଜନା ଶାଖା ୧ ର ଏହିଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିସହ ଅନ୍ତେବାସୀ ମାନେ ଉପ ଜିଲ୍ଲାପାଳଙ୍କୁ ନିଜର କିଛି ସମସ୍ୟା ଅବଗତ କରାଇଥିଲେ। ଫଳରେ ଉପ ଜିଲାପାଳ ଅନ୍ତେବାସୀ ମାନଙ୍କ ସମସ୍ୟାକୁ ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ସମୟରେ ଭଞ୍ଜନଗର ବିଡିଓ ଭାରତୀ ଦେବୀ, ଭଞ୍ଜନଗର
ଅତିରିକ୍ତ ସବ କଲେକ୍ଟର ତୁଲୀଅମା ପ୍ରଧାନ,ଡେପୁଟୀ କଲେକ୍ଟର ରଚିତା ମହାପାତ୍ର, ସହକାରୀ ଜିଲାପାଳ ରାମ ଚନ୍ଦ୍ର ମହାପାତ୍ର, ଫକୀର ଜୀନ ଜ୍ୟୋତି ନାୟକ, ଚନ୍ଦ୍ର ଗିରି ଗାୟତ୍ରୀ, ବରିଷ୍ଠ ପ୍ରାଧ୍ୟାପକ କୁମୁନ୍ଦ ଚନ୍ଦ୍ର ମହାପାତ୍ର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ନାୟକ, ବଣିକ ସଂଘ କର୍ମକର୍ତ୍ତା ସୁଶାନ୍ତ ମହାପାତ୍ର, ସାମାଜିକ କର୍ମୀ ଶୁଳପାଣି ଶତପଥି, ଚିଦାନନ୍ଦ ଆଶ୍ରମ କର୍ମକର୍ତ୍ତା ପଦ୍ମଲାଭ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ସେବା ଯୋଜନା ଶାଖା ୧ ଅଧିକାରୀ ବି ପ୍ରଧାନ, ବରିଷ୍ଠ ଅଧ୍ୟାପକ ବୁଧିନାଥ ବେହେରା, ଛାତ୍ର ସୁକେଶ ପାଲ,ରଞ୍ଜନ ନାୟକ, କେଦାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।