ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁକ୍ରବାର ରାଜଗାଙ୍ଗପୁର ତଳକିପଡ଼ାର ୫୯ ବର୍ଷୀୟ ରାଜେଶ ଗୁପ୍ତା ନିଜ ପରିବାର ଓ ବନ୍ଧୁଙ୍କ ଗହଣରେ ବିବାହବାର୍ଷିକୀ ପାଳନ ପାଇଁ ଖଣ୍ଡାଧାର ଇକୋ କଟେଜ୍ର ୪ଟି କଟେଜ୍ ବୁକ୍ କରିଥିଲେ। ରାତିରେ ନାଚଗୀତ ମଧ୍ୟରେ ହର୍ଷ ଉଲ୍ଲାସ ସହ ୩୦ତମ ବିବାହ ବାର୍ଷିକୀ ପାଳନ କଲେ। ଆଜି ସକାଳେ ଉଠି ପ୍ରାତଃ ଭ୍ରମଣ କରିବା ସମୟରେ ହଠାତ୍ ରାଜେଶ ଲନ୍ରେ ଟଳି ପଡ଼ିଥିଲେ। ଘଟଣା ଦେଖି ଆତ୍ମୀୟ ସଜନ ଓ ବନ କର୍ମଚାରୀ ସେଠାରୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଁ ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଆତ୍ମୀୟ ସ୍ବଜନମାନେ ଅପେକ୍ଷା କରି ରହିଛନ୍ତି। ଲହୁଣିପଡ଼ା ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ତଦନ୍ତ ଜାରି ରଖିଛି l ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ମୃତଦେହ ରହିଥିବା ବେଳେ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି। ୩୦ ବର୍ଷର ବିବାହବାର୍ଷିକୀ ପାଳନ କରିବାକୁ ଆସିଥିବା ୫୯ ବର୍ଷୀୟ ରାଜେଶ ବର ଶବ ପାଲଟିବା ଘଟଣା ବଣାଇଁ ସମେତ ରାଜଗାଙ୍ଗପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷରେ କାହିଁକି ବନବିଭାଗ ପକ୍ଷରୁ ସୂଚନା ଦିଆ ନ ଯିବା ଓ ବିଭାଗ ପ୍ରଚ୍ଛଦପଟରେ ରହିଛି ସେଥିନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

