
ନୂଆଦିଲ୍ଲୀ,୧୭।୨:ଦେଶର ନୂତନ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ନିଯୁକ୍ତି ଦେବା ପାଇଁ ସୋମବାର ଚୟନ କମିଟିର ବୈଠକ ହୋଇଛି ପିଏମଓରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗ ଦେଇଥିଲେ। ବୈଠକରେ ରାହୁଲ ଗାନ୍ଧୀ କହିଛନ୍ତି, ସୁପ୍ରିମକୋର୍ଟ ସିଇସିଙ୍କ ନିଯୁକ୍ତି ମାମଲାର ନିରନ୍ତର ଶୁଣାଣି କରୁଛନ୍ତି। ଏପରି ପରିସ୍ଥିତିରେ ନୂତନ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି କିଛି ଦିନ ପାଇଁ ସ୍ଥଗିତ ରଖିବା ଉଚିତ। ଏଥିରେ ଅହଂକାର ରଖିବାର କୌଣସି ଅର୍ଥ ନାହିଁ। ଏହା ଗଣତନ୍ତ୍ରର ଦାବି। ସଆଜିର ବୈଠକକୁ ସ୍ଥଗିତ ରଖିବା ପାଇଁ ରାହୁଲଙ୍କ ପରାମର୍ଶ ଗ୍ରହଣ କରାଯାଇ ନାହିଁ।
ବୈଠକ ଶେଷରେ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତି, ଚୟନ କମିଟିର ଭାରତର ପ୍ରଧାନ ବିଚାରପତିଙ୍କୁ ହଟାଇଦେଇ ସରକାର ନିର୍ବାଚନ କମିଶନକୁ ନିଜନ୍ତ୍ରଣରେ ରଖିବା ଏବଂ ଏହାର ବିଶ୍ୱସନୀୟତା ବଜାୟ ନ ରଖିବାକୁ ଚାହାନ୍ତି ବୋଲି ସ୍ପଷ୍ଟ ହୋଇଛି। ସେ କହିଛନ୍ତି, ସିଇସି ଏବଂ ଅନ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ନୂଆ ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହା ଅଦାଲତଙ୍କ ବିଚାରାଧୀନ ଥିବାବେଳେ ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି। ତ୍ୱରିତ୍ ଶୁଣାଣି ପାଇଁ ସରକାର ଅଦାଲତଙ୍କୁ ନିବେଦତନ କରନ୍ତୁ ବୋଲି କଂଗ୍ରେସ କହିଛି। ଶୁଣାଣି ପର୍ଯ୍ୟନ୍ତ ବୈଠକ ସ୍ଥଗିତ ରଖିବାକୁ କଂଗ୍ରେସ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ସିଙ୍ଘଭି କହିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଚୟନ କମିଟି ବୈଠକ ବସି ପରବର୍ତ୍ତୀ ସିଇସିଙ୍କ ନାମ ଚୂଡ଼ାନ୍ତ ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। କମିଟି ଖୁବ୍ଶୀଘ୍ର ନୂଆ ସିଇସିଙ୍କ ନାମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁପାରିସ କରିବେ। ଚୟନ କମିଟିରେ ମୋଦିଙ୍କ ବ୍ୟତୀତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଛନ୍ତି।