୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ନୟାଗଡ଼ ଜିଲା ଗଣିଆ ନିକଟସ୍ଥ ମହାନଦୀରୁ ପାଣିଆଣି ଗଞ୍ଜାମ ଜିଲାର ୧୧ଟି ବ୍ଲକ ଓ ୫ଟି ଏନ୍‌ଏସିକୁ ପାଇପ ଯୋଗେ ପାଣିଦେବା ଲକ୍ଷ୍ୟ ରଖାଯାଇଛି। କିନ୍ତୁ ପାଣି ମହାନଦୀର କେଉଁଠୁ ଉଠିବ ତାହା ଆଜି ପର୍ଯ୍ୟନ୍ତ ଚୁଡାନ୍ତ ହୋଇନାହିଁ। ତେଣୁ ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ୨୦୨୫ ଜୁନ ମାସ ସୁଧା ଉକ୍ତ ପ୍ରକଳ୍ପ କାର୍ଯ୍ୟ ସରିବା ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ତାହା ବର୍ତ୍ତମାନ ୨୦୨୭ ପରେ ହିଁ ସରିବା ସମ୍ଭାବନା ରହିଛି। ପ୍ରକଳ୍ପ କାର୍ଯ୍ୟ ଯେତେ ବିଳମ୍ବ ହେବେ ଲୋକେ ପାଣି ପାଇବାରେ ସେତେ ଅସୁବିଧାର ସମ୍ମୁଖୀନ ହେବେ। ବିଜେଡି ସରକାର ସମୟରେ ୨୦୨୨ ମସିହାରୁ ଉକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ପୂର୍ବ ସରକାର କେଉଁଠୁ ପାଣି ଉଠିବ ବହୁଦିନ ପର୍ଯ୍ୟନ୍ତ ତାହା ଚୁଡାନ୍ତ କରି ପାରି ନ ଥିଲେ। ଯେଉଁଠି ଚୂଡ଼ାନ୍ତ ହେଉଥିଲା ସେଠି କେନ୍ଦ୍ର ସରକାରଙ୍କ ପରିବେଶ ବିଭାଗର ଅନୁମତି ଲୋଡ଼ା ପଡୁଥିଲା। କେନ୍ଦ୍ର ସରକାର ଅନୁମତି ଦେବାରେ ବିଳମ୍ବ କରିବା ଯୋଗୁ ଉକ୍ତ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଉଛି। ର୍ତ୍ତମାନ ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଉକ୍ତ ପ୍ରକଳ୍ପ କାର୍ଯ୍ୟ କିଭଳି ଶୀଘ୍ର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେଇଛନ୍ତି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଏନେଇ ବାରମ୍ବାର ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରୁଛନ୍ତି। ଏହିଭଳି ପରିସ୍ଥିତିରେ ସୋମବାର ଗଞ୍ଜାମ ଜିଲା ମୁଖ୍ୟ ଉନ୍ନୟନ ଅଧିକାରିଣୀ ମଧୁସ୍ମିତା ହଠାତ୍‌ ଗାୟଗଣ୍ଡାଠାରେ ଚାଲିଥିବା ଜଳ ବିଶୋଧନଗାର ପ୍ରକଳ୍ପ ବୁଲି ଦେଖିଥିଲେ। ଏହି ସମୟରେ ସିଡିଓ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ପାଣି ଉଠାଇବା ସ୍ଥାନ ଚୟନ ହୋଇ ନ ଥିଲେ ମଧ୍ୟ ଅନ୍ୟାନ୍ୟ କାମ ଚାଲିଛି। ସିଡିଓଙ୍କ ଗସ୍ତ ସମୟରେ ଭଞ୍ଜନଗର ବିଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣଯନ୍ତ୍ରୀ, ଭଞ୍ଜନଗର ବ୍ଲକ ସହକାରୀ ନିର୍ବହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗଣିଆ ନିକଟରୁ ପାଣି ବଡ ବଡ ପାଇପରେ ଆଣି ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାଠାରେ ଚାଲିଥିବା ଜଳ ବିଶୋଧନଗାରରେ ମହଜୁଦ ରଖାଯିବ। ସେଠୁ ସମସ୍ତ ଅଞ୍ଚଳକୁ ପାଣି ପାଇପ ଯୋଗେ ଛଡ଼ାଯିବ। ତେଣୁ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଗୋଟିଏ ସମ୍ପ ଏବଂ ଓଭରହ୍ୟାଡ ପାଣି ଟାଙ୍କି ହେବ।