ଫେବୃଆରୀ ୧୭ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୩ା୯(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷାର ସମ୍ଭାବ୍ୟ ତାରିଖ ବୁଧବାର ଘୋଷଣା କରାଯାଇଛି। ୨୦୨୬ ଫେବୃଆରୀ ୧୭ରୁ ଏହି ୨ ପରୀକ୍ଷା ଆରମ୍ଭ ହେବ ବୋଲି ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ୟାମ ଭରଦ୍ୱାଜ ସୂଚନା ଦେଇଛନ୍ତି। ୫ ମାସ ପୂର୍ବରୁ ପରୀକ୍ଷା ନେଇ ସମୟସାରଣୀ ପ୍ରକାଶ ପାଇଥିବାରୁ ଏଥିପାଇଁ ଛାତ୍ରୀଛାତ୍ର ନିଜକୁ ଭଲଭାବେ ପ୍ରସ୍ତୁତ କରିପାରିବେ ବୋଲି ଆଶା କରାଯାଉଛି।

ସିବିଏସ୍‌ଇର ସୂଚନାନୁସାରେ, ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଖାପାଖି ୪୫ ଲକ୍ଷ ପିଲା ପରୀକ୍ଷା ଦେବେ। ଉଭୟ ଶ୍ରେଣୀ ପରୀକ୍ଷା ଗୋଟିଏ ଶିପ୍ଟରେ ଆରମ୍ଭ ହେବ। ପରୀକ୍ଷା ସହ ଖାତାଦେଖା ଓ ଫଳାଫଳ ଆଦି ପ୍ରକ୍ରିୟା ଜୁଲାଇ ୧୫ ଭିତରେ ଶେଷ କରିବାର ଯୋଜନା ରହିଛି। ସିବିଏସ୍‌ଇ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା (ଦଶମ) ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୯ ଯାଏ ଚାଲିବ। ସେହିପରି ସିବିଏସ୍‌ଇ ସିନିୟର ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ଦ୍ୱାଦଶ) ଏପ୍ରିଲ ୯ରେ ଶେଷ ହେବ। ପରୀକ୍ଷା ଶେଷ ହେବାର ୧୦ ଦିନ ପରେ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ ଓ ଏହା ୧୨ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ପରୀକ୍ଷା ନିୟନ୍ତ୍ରକ ଡ. ଭରଦ୍ୱାଜ ସୂଚନା ଦେଇଛନ୍ତି।

Share