ଉଦଳା,୪।୨(ସନ୍ତୋଷ କୁମାର ବାଚ୍ଛିନୀ): ଗଞ୍ଜେଇ ଚାଲାଣର ନୂଆ ତରିକା। କୋବିର ଚାହିଦା ସମୟରେ କୋବିକୁ ଢାଲ କରି ହେଉଥିଲା ଗଞ୍ଜେଇ ଚାଲାଣ। ଆଉ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିଲା ଏକ ସ୍କର୍ପିଓ। ରାତି ତମାମ ଗାଡିକୁ ଫଲୋ କରିବା ପରେ ଶେଷରେ ଏନସିବିର ସ୍ପେସିଆଲ ସ୍କ୍ବାର୍ଟ ମାଡି ବସିଛି। ଏହି ଚଢାଉରେ ୨୩ ବସ୍ତା ଗଞ୍ଜେଇ ଜବତ କରାଯାଇଛି। କପ୍ତିପଦା ଥାନା ନୂଆସାହି ଭରଡାଛକ ନିକଟରେ ଏହି ଚଢାଉ କରିଛି ଏନସିବି। କେଉଁଝର ଅଞ୍ଚଳରୁ ଏକ ପିକଅପ୍ରେ ଉପରେ କୋବି ରଖି ଭିତରେ ଗଞ୍ଜେଇ ରଖି ଚୋରାଚାଲାଣ କରୁଥିଲେ ଗଞ୍ଜେଇ ମାଫିଆ। କେଉଁଝରରୁ କପ୍ତିପଦା ହୋଇ ବାରିପଦାକୁ ଗଞ୍ଜେଇ ଆସୁଥିଲା। ଏହି ସମୟରେ କପ୍ତିପଦା ନୂଆସାହି ଭରଡା ଛକ ନିକଟରେ ଗଞ୍ଜେଇ ଗାଡିକୁ ମାଡି ବସିଥିଲା ଏନସିବି ଟିମ। ଏହା ସହିତ ଗଞ୍ଜେଇ ଗାଡିକୁ ସୁରକ୍ଷା ଦେଉଥିବା ଏକ ସ୍କର୍ପିଓକୁ ମଧ୍ୟ ଏନସିବି ଅଟକାଇ ଥିବାବେଳେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ଘଟଣାସ୍ଥଳରୁ ୨ ଜଣ ଗଞ୍ଜେଇ ମାଫିଆ ଖସିଯାଇଥିବା କୁହାଯାଉଛି। ଜବତ ଗଞ୍ଜେଇର ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି କହିଛି ଏନସିବି।