କରୁଥିଲେ ଗୋରୁ ଚାଲାଣ ରାସ୍ତା ମଝିରେ ଖରାପ ହୋଇଗଲା ଗାଡି, ପରେ…

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଆସିକା-ଦିଗପହଣ୍ଡି ୩୨୬ ନଂ ଜାତୀୟ ରାଜପଥ ସାନଖେମୁଣ୍ଡି ବ୍ଲକ ସାପୁଆ ବସା ନିକଟରେ ଗୋରୁ ବୋଝେଇ ପିକଅପ ଭ୍ୟାନକୁ ସୋମବାର ଭୋରରେ କେହି ଗୋରୁ ବ୍ୟବସାୟୀ ଛାଡି ଚାଲିଯାଇଥିବା ଜଣାପଡ଼ିଛି। ଗୋରୁ ଚୋରା ଚାଲାଣ ବେଳେ ପିକଅପ ଗାଡ଼ି (ନଂ. ଓଡ଼ି୨୫ ଜି -୨୪୨୮) ଟି ଖରାପ ହୋଇଯାଇଥିଲା। ଧରାପଡିଯିବା ଭୟରେ ବ୍ୟବସାୟୀ ଜଣକ ଗୋରୁ ସହ ଗାଡ଼ିକୁ ଛାଡ଼ି ଚାଲିଯାଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ପାଟପୁର ଥାନା ଏସ.ଆଇ ଶୁଭ ଲକ୍ଷ୍ମୀ କଅଁର , ସନ୍ତୋଷ ମିଶ୍ର ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରିବା ସହ ଅମାନବୀୟ ଓ ଅତି କଦର୍ଯ୍ୟ ଭାବେ ଚାଲାଣ କରାଯାଉଥିବା ୧୮ଟି ଗୋରୁଙ୍କୁ ଉଦ୍ଧାର କରିଥିବା ବେଳେ ଗାଡ଼ି ମଧ୍ୟରେ ୪ଟି ଗୋରୁ ମରି ପଡ଼ିଥିବା ଦେଖିଥିଲେ। ୧୮ଟି ଗୋରୁକୁ ପାଟପୁର ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ବୃନ୍ଦ ଚିକିତ୍ସା କରିବା ପରେ ସ୍ଥାନୀୟ କିଛି ଚାଷୀଙ୍କୁ ୧୪ଟି ଗୋରୁ ବାଣ୍ଟି ଦିଆଯାଇଥିଲା। ୪ ଗୋରୁକୁ ମୌଳାଭଞ୍ଜା ଗ୍ରାମ ସ୍ଥିତ ମଦନ ମୋହନ ଗୋ-ଶାଳା ରେ ଛଡାଯାଇଥିବା ଜଣାପଡ଼ିଛି।ମୃତ ଗୋରୁ ଗୁଡ଼ିକୁ ପୋଲିସ ଉପସ୍ଥିତିରେ ଜଲମରା ଗାଁ ପାହାଡ଼ ନିକଟରେ ଗାତ ଖୋଳି ପୋତି ଦିଆଯାଇଛି। ପୋଲିସ ଏନେଇ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

Dharitri – Odisha’s No.1 Odia Daily