ରାସ୍ତାଘାଟରେ ଗୋରୁଗୁହାଳ

ପ୍ରଫେସର ଡା. ଗୁଣସାଗର ଦାଶ

ବିଦେଶର କେଉଁଠି କେଉଁଠି ସହର ନଗର ରାଜରାସ୍ତାରେ ବଣଜଙ୍ଗଲର ପଶୁପକ୍ଷୀମାନେ ନିର୍ଭୟରେ ବିଚରଣ କରୁଥିବାର ଦେଖାଯାଉଛି। ହେଲେ ଆମ ଦେଶର ରାଜରାସ୍ତାରେ ଓ ସହରର ଗଳିକନ୍ଦିରେ ଗୋରୁ କିମ୍ବା ବୁଲା କୁକୁରମାନଙ୍କର ଅବାଧ କବ୍‌ଜା। ସେମାନଙ୍କ ମଳମୂତ୍ରରେ ପରିବେଶ ପ୍ରଦୂଷିତ। ସତେ ଯେପରି ସେମାନେ ଟ୍ରାଫିକ୍‌ ପୋଲିସ। ଗାଡ଼ି ଚାଳକଟି ବାଧ୍ୟହୋଇ ବେଗ କମାଇ ଷ୍ଟିୟରିଂକୁ ଅଙ୍କାବଙ୍କା ବୁଲାଇ ଯିବାକୁ ବାଧ୍ୟ ହେଉଅଛି। ତଦ୍ଦ୍ବାରା ବେଳେ ବେଳେ ଦୁର୍ଘଟଣାମାନ ବି ଘଟୁଛି। ଦୁଇଚକିଆ ଯାନ ଆରୋହୀମାନଙ୍କ ଜୀବନ ବି ଯାଉଛି। ଖାଲି ସେତିକି ନୁହେଁ, ବୁଲା ଷଣ୍ଢ, ଗୋରୁ ମଧ୍ୟ ପ୍ରାଣବଳି ଦେଉଛନ୍ତି। ସେମାନେ ହେଲେ ପଶୁ; ଟ୍ରାଫିକ୍‌ ନିୟମ କି ପରିବେଶ ପ୍ରଦୂଷଣର ଆଇନ କାହୁଁ ଜାଣିବେ। ଏସବୁ ଦେଖି ଦେଖି ଯିବା ଆସିବା ଲୋକର ଦେହ ମନ ହୃଦୟରେ ଡରଭୟ, କ୍ରୋଧ ଓ ବିଷାଦ ଜାତ ହେଉଅଛି। କ’ଣ କରାଯିବ! କିଏ ଆମ କଥା ବା ଶୁଣିବ !
ସେ ଦିନ ଲେଖକ ଜର୍ମାନୀରେ ଅତିଥି ସଜ୍ଜନ ଭାବରେ ଯାଇଥିଲା ବେଳେ ଇଟାଲୀର ଜଣେ ଡାକ୍ତର ବନ୍ଧୁ ଭାରତ ବିଷୟରେ କୌତୂହଳୀ ହୋଇ ପଚାରିଲେ- ଏକଥା କ’ଣ ସତ ଯେ ତୁମ ଦେଶର ରାସ୍ତାଘାଟରେ ଗୋରୁ ବିନା ବାଧାରେ ବୁଲୁଥାଆନ୍ତି। କହିଲି- ସତ କଥା।
ସେ ପୁନର୍ବାର ପଚାରିଲେ କେହି ସେମାନଙ୍କୁ ମାରି ଖାଇ ଦିଅନ୍ତି ନାହିଁ ? ଉତ୍ତର ଦେଲି- ନା, ଆମ ଦେଶରେ ଗାଈକୁ ଗୋମାତା ଭାବରେ ପୂଜା ଅର୍ଚ୍ଚନା କରାଯାଉଥିବାରୁ ତାକୁ ମାରି ଖାଇବାଟା ପାପ ବୋଲି ବିବେଚନା କରାଯାଏ।
ଗାଁ ଗହଳିର ଗୋରୁ ହାଟରୁ ଚଲାଇ ଚଲାଇ ହେଉ କି ଗାଡ଼ିମୋଟରରେ ବୋଝେଇ ହେଉ, ଗୋଚାଲାଣ କଲେ ଆମ୍ଭମାନଙ୍କ ମନଟା ଦୁଃଖ ଦରଦରେ ଭରିଯାଏ। ବେଳେ ବେଳେ କେଉଁଠି କେମିତି ଗଣ୍ଡଗୋଳ ବି ହୋଇଥାଏ। ତେବେ ଆଜି ସହରର ଗଳିକନ୍ଦିରେ କି ରାଜରାସ୍ତାରେ ହେଉଛି କ’ଣ ? ଅକାଳରେ ଗୋରୁଙ୍କ ଅଲୋଡ଼ା ଜୀବନ ଟ୍ରକ୍‌ ତଳେ ଚାଲିଯାଉଅଛି। ଏଥିପାଇଁ ଦାୟୀ କିଏ ? ଏଥିପ୍ରତି ଜନସାଧାରଣ, ଜନ ପ୍ରତିନିଧି, ମ୍ୟୁନିସିପାଲିଟି ଅଥବା ରାଜ୍ୟ ସରକାରଙ୍କ କିଛି ଦାୟିତ୍ୱ ଥିଲା ବୋଲି ମନେହୁଏ ନାହିଁ।
ପ୍ରତ୍ୟେକ ସମସ୍ୟାର ସମାଧାନ ଅବଶ୍ୟ ରହିଛି। କେବଳ ଚିନ୍ତା କରି ପଦକ୍ଷେପ ନେଲେ ଏହାର ପ୍ରତିକାର ହୋଇପାରିବ। ବୁଲା ଗୋରୁଙ୍କୁ ବାଜ୍ୟାପ୍ତ କରି ସରକାରଙ୍କ ସମ୍ପତ୍ତି ବୋଲି ଘୋଷଣା କରାଯାଉ। ସେମାନଙ୍କୁ ରଖିବା ପାଇଁ ଗୋଶାଳାମାନ ପ୍ରତିଷ୍ଠା କରାଯାଉ। ଆଜିକାଲି ଗାଁଗଣ୍ଡାରେ ଗୋରୁ ଚରାଳି ମିଳୁନାହାନ୍ତି। ଏଣୁ ପ୍ରତ୍ୟେକ ଗ୍ରାମ କି ପଞ୍ଚାୟତରେ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌ ବା ସରକାର ଓ ଜନ ସହଯୋଗ ମାଧ୍ୟମରେ ଗୋଶାଳାମାନ ପ୍ରତିଷ୍ଠା କରାଗଲେ ଗୋରୁଙ୍କ ସେବାଯତ୍ନ କରି ବେକାର ଯୁବତୀଯୁବକମାନେ ମଧ୍ୟ ନିଜର ଅନ୍ନ ସଂସ୍ଥାନ କରିପାରିବେ। ଗୋସମ୍ପଦର ସୁରକ୍ଷା ବି ହୋଇପାରିବ। ଏଥିପ୍ରତି ସରକାରଙ୍କ ସାହାଯ୍ୟ ସହଯୋଗ ଓ ପ୍ରେରଣା ରହିବା ଏକାନ୍ତ ଆବଶ୍ୟକ। ସହରରେ ଗୋରୁ ମାଲିକମାନେ ଗାଈ ରଖନ୍ତି। ଦୁଗ୍ଧବତୀ ହେଲେ ଘରକୁ ଆଣି କ୍ଷୀର ସଂଗ୍ରହ କରନ୍ତି; ବାକି ସମୟରେ ସହରରେ ଖୋଲା ଛାଡ଼ି ଦିଅନ୍ତି। ତେଣୁ ସେମାନଙ୍କୁ ଚିହ୍ନଟ କରି ଜରିମାନା ଆଦାୟ କରାଯାଉ। ଅନ୍ୟଥା ବୁଲା ଗୋରୁଙ୍କୁ ବାଜ୍ୟାପ୍ତ କରି ଗୋଶାଳାରେ ରଖାଯାଉ। ଏପରି ହେଲେ ଜନସାଧାରଣ ମଧ୍ୟ ସୁବିଧାରେ କ୍ଷୀର, ଦହି, ଛେନା, ଘିଅ ଆଦି ଦୁଗ୍ଧଜାତ ପଦାର୍ଥ ପାଇପାରିବେ। ଗୋରୁ ହାଟଗୁଡ଼ିକରେ କେବଳ ଚାଷକାର୍ଯ୍ୟ ପାଇଁ ଗୋରୁ କିଣାବିକା କରାଯାଉ। କେହି ହଡ଼ା କି ରୁଗ୍‌ଣ ଗୋରୁ ବିକ୍ରି କଲେ ସେମାନଙ୍କୁ ଦଣ୍ଡ ଦିଆଯାଉ। ସେମାନଙ୍କ ସେବା କରି ନ ପାରିଲେ ଗୋଶାଳାରେ ରଖାଯାଇ ସେବାଯତ୍ନ କରାଯାଉ। ପରିଣତ ବୟସରେ ସେମାନେ କ୍ଷୀର ଦେଇ ନ ପାରିଲେ ବି ଗୋବର ଖତ ଓ ଗୋମୂତ୍ର ତ ଅବଶ୍ୟ ମିଳିପାରିବ। ତା’ର ଉପଯୁକ୍ତ ବିନିଯୋଗ କରାଯାଇ ଅର୍ଗାନିକ୍‌ ଚାଷ କରାଯାଇ ପାରିବ। ଜନସାଧାରଣ, ସୁନାଗରିକ, ଜନ ପ୍ରତିନିଧି, ପଞ୍ଚାୟତ, ମ୍ୟୁନିସିପାଲିଟି ଓ ସରକାରଙ୍କୁ ଅନୁରୋଧ ଏଥିପ୍ରତି ସକ୍ରିୟ ଦୃଷ୍ଟି ଦେଇ ସମସ୍ତଙ୍କୁ ଏ ଅରାଜକତାରୁ ରକ୍ଷା କରନ୍ତୁ। ଆଶା ଏ ଦିଗରେ ସମସ୍ତେ ଚିନ୍ତାକରି ପଦକ୍ଷେପ ନେବେ।
ମୁକ୍ତିବିହାର, ଅଇଁଠାପାଲି, ସମ୍ବଲପୁର
ମୋ: ୯୪୩୭୦୫୮୫୨୫